ବଢୁଛି କୋଭିଡ, ଘୁଞ୍ଚିଲା ବୋର୍ଡ ପରୀକ୍ଷା

ମୂମ୍ବାଇ: କୋଭିଡ ପାଇଁ ବୋର୍ଡ ପରୀକ୍ଷା ସ୍ଥଗିତ ରଖିଲେ ମହାରାଷ୍ଟ୍ର ସରକାର । ସଂକ୍ରମଣକୁ ଦୃଷ୍ଟିରେ ରଖି ୧୦ମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି । ଦଶମ ଓ ଦ୍ବାଦଶ ପରୀକ୍ଷା ଯଥାକ୍ରମେ ଏପ୍ରିଲ ୨୩ ଓ ୨୯ ତାରିଖରେ କରାଯିବାକୁ ଧାର୍ଯ୍ୟ ହୋଇଥିଲା । ହେଲେ ରାଜ୍ୟରେ କରୋନା ସ୍ଥିତିକୁ ଦେଖି ପରୀକ୍ଷା ଘୁଞ୍ଚାଇବାକୁ ନିଷ୍ପତ୍ତି ହୋଇଛି ।

ସେପଟେ ଦ୍ବାଦଶ ବୋର୍ଡ ପରୀକ୍ଷା ମେ’ମାସରେ କରାଯିବ ଓ ଜୁନରେ ଦଶମ ବୋର୍ଡ ପରୀକ୍ଷା କରାଯିବ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଶିକ୍ଷା ମନ୍ତ୍ରୀ ବର୍ଷା ଗାଇକୋଡ । କରୋନା ଦ୍ବିତୀୟ ଲହରରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ଏଭଳି ସ୍ଥିତିରେ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ଛାତ୍ରଛାତ୍ରୀଙ୍କ ପାଇଁ ଚିନ୍ତାଜନକ ସ୍ଥିତି ହୋଇଛି।

ଏଥିସହ ପିଲାଙ୍କ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେବା ଆମର କର୍ତ୍ତବ୍ୟ । ଏଣୁ ପରୀକ୍ଷା ଘୁଞ୍ଚାଇବାକୁ ନିଷ୍ପତ୍ତି ହୋଇଛି ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି । ରାଜ୍ୟରେ ଲକଡାଉନ୍ ଘୋଷଣା ହେବ କି ନାହିଁ ସେ ନେଇ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଘୋଷଣା ହେବ ବୋଲି କହିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ଅସଲମ୍ ସେଖ ।

Leave a Reply