ମେ’୧ ଯାଏ ମହାରାଷ୍ଟ୍ରରେ ଲକଡାଉନ୍ ଘୋଷଣା, ୧୫ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ୍

1 min read
Maharashtra govt issues fresh restrictions Lockdown

ମୁମ୍ବାଇ: ମହାରାଷ୍ଟ୍ରରେ ଆସନ୍ତାକାଲି ଠାରୁ ଲକଡାଉନ୍ କଟକଣା ଲାଗୁ ହେବ । ଗୁରୁବାର ରାତି ୮ଟାରୁ ମେ’ ୧ ତାରିଖ ସକାଳ ୭ଟା  ଯାଏ କଟକଣା ବଳବତ୍ତର ରହିବ । ନୂତନ ଗାଇଡଲାଇନ୍ ଅନୁସାରେ ମହରାଷ୍ଟ୍ରରେ ସରକାରୀ ଅଫିସ୍ ୧୫ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । କେବଳ ଜରୁରୀକାଳୀନ ବିଭାଗ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟକ୍ଷମ ରହିବ । ପୂର୍ବରୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ୍ ଖୋଲିବାକୁ ଗାଇଡଲାଇନ୍ ରହିଥିଲା ।

ସେହିଭଳି ବିବାହ ଉତ୍ସବ ଲାଗି କଟକଣାକୁ ଆହୁରି କୋହଳ କରାଯାଇଛି । ସର୍ବାଧିକ ୨୫ ଜଣଙ୍କୁ ନେଇ ବିବାହ ଉତ୍ସବ ୨ ଘଣ୍ଟା ମଧ୍ୟରେ ସରିବ । ଏହାର ଉଲ୍ଲଂଘନ କଲେ ୫୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଘରୋଇ ବସ୍ କ୍ଷମତାର ୫୦ ପ୍ରତିଶତକୁ ନେଇ ଗଡ଼ିବ । କୌଣସି ଯାତ୍ରୀ ଛିଡ଼ା ହୋଇ ଯାତ୍ରା କରିବେ ନାହିଁ । ଏଥିସହ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯିବାକୁ ହେଲେ ସ୍ଥାନୀୟ ଜିଲ୍ଲାପାଳଙ୍କୁ ସୂଚନା ଦେବାକୁ ପଡ଼ିବ ।

ବିଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬୭ ହଜାର ୪୬୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୬୮ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ଏଯାବତ୍ ସର୍ବାଧିକ ବୋଲି ଜଣାପଡ଼ିଛି । ରାଜ୍ୟରେ ଏବେ ସୁଦ୍ଧା ୪୦ ଲକ୍ଷ ୨୭ ହଜାର ୮୨୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୧ ହଜାର ୯୧୧ ଜଣଙ୍କ ଜୀବନ ନେଇଛି ମହାମାରୀ ।

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ଲକଡାଉନକୁ ଶେଷ ବିକଳ୍ପ ଭାବେ ଗ୍ରହଣ କରିବାକୁ କହିଥିଲେ । ମହାରାଷ୍ଟ୍ରରେ ମହାମାରୀର ବିଗୁଡ଼ିଥିବା ସ୍ଥିତିକୁ ଦେଖି ଶେଷରେ ଲକଡାଉନ୍ ଘୋଷଣା କରିଛନ୍ତି ସରକାର । ଏହା ପୂର୍ବରୁ ଦିଲ୍ଲୀ, ଝାଡ଼ଖଣ୍ଡ ଆଦି ରାଜ୍ୟ ଲକଡାଉନ୍ ଘୋଷଣା କରି ସାରିଛନ୍ତି ।

Leave a Reply