spot_img

Latest Posts

ମହାରାଷ୍ଟ୍ର ରାଜନୀତିରେ ହଲଚଲ, ଅନିଶ୍ଚିତତାରେ ମେଣ୍ଟ ସରକାର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଆସିବ କି ଭୂକମ୍ପ। ଭାଙ୍ଗିବ କି ବିଜେପି-ସିନ୍ଦେ ଗୋଷ୍ଠୀ ମେଣ୍ଟ! ଅନିଶ୍ଚିତତାରେ ମହାରାଷ୍ଟ୍ରର ମେଣ୍ଟ ସରକାର । ବିଧାୟକଙ୍କୁ ଅଯୋଗ୍ୟ ସାବ୍ୟସ୍ତ କରିବା ସଂପର୍କିତ ଶୁଣାଣି ସୁପ୍ରିମକୋର୍ଟରେ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ତିନିଦିନିଆ ଛୁଟି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ଗୋଟେ ପଟେ ସୁପ୍ରିମକୋର୍ଟରେ ନିଜ ସପକ୍ଷରେ ରାୟ ନଆସିବା ଭୟ ଓ ଅନ୍ୟପଟେ ଅଜିତ ପାଓ୍ବାରଙ୍କୁ ନେଇ କଳ୍ପନାଜଳ୍ପନା ସିନ୍ଦେଙ୍କ ଚିନ୍ତା ବଢ଼ାଇ ଦେଇଛି ବୋଲି କୁହାଯାଉଛି। ଏନସିପି ନେତା ଅଜିତ ପାଓ୍ବାର ନିଜର ୪୦ ସମର୍ଥିତ ବିଧାୟକଙ୍କ ସହ ବିଜେପିରେ ସାମିଲ ହେବା ଚର୍ଚ୍ଚା ଜୋର ଧରିଛି । ଅଜିତ ପାଓ୍ବାରଙ୍କୁ ଭାବି ମୁଖ୍ୟମନ୍ତ୍ରୀ ଭାବେ ପ୍ରସ୍ତୁତ କରାଯାଉଥିବା ବେଳେ ମହାରାଷ୍ଟ୍ର ସାରା ତାଙ୍କ ସମର୍ଥନରେ ପୋଷ୍ଟର ଲାଗିଛି ।

ସେପଟେ ଅଜିତ ପାଓ୍ବାର ଯଦି ବିଜେପିରେ ସାମିଲ ହୁଅନ୍ତି ତେବେ ସିନ୍ଦେ ଗୋଷ୍ଠୀ ମେଣ୍ଟରୁ ଓହରିଯିବ ପୂର୍ବରୁ ସ୍ପଷ୍ଟ କରିସାରିଛି। ସିନ୍ଦେଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଭିତରେ ସେ ବେସରକାରୀ ଭାବେ ଅଚାନକ ତିନିଦିନିଆ ଛୁଟିରେ ଯିବା ରାଜନୈତିକ ଚର୍ଚ୍ଚାକୁ ଆହୁରି ବଢ଼ାଇଛି । ଅନ୍ୟପଟେ ମହାରାଷ୍ଟ୍ର ରାଜେନୖତିକ ସଙ୍କଟ ଭିତରେ ଗୃହମନ୍ତ୍ରୀ ଅମିତ ଶାହା ଫଡନାବିସ ଓ ସିନ୍ଦେଙ୍କ ସହ ବୈଠକ କରିପାରନ୍ତି ବୋଲି ସୂଚନା ମିଳିଛି। ଶିବସେନା ବିଧାୟକରୁ ବିଦ୍ରୋହୀ ନେତା ସାଜି ମହାରାଷ୍ଟ୍ରରେ ମେଣ୍ଟ ସରକାର ଭାଙ୍ଗିଥିଲେ ଏକନାଥ ସିନ୍ଦେ । ନାଟକୀୟ ଢଙ୍ଗରେ ମହାରାଷ୍ଟ୍ରରୁ ଗୁଜରାଟ, ତା’ପରେ ଆସାମ ଓ ପରେ ଗୋଆରେ ସମର୍ଥିତ ବିଧାୟକଙ୍କ ସହ ଆତ୍ମଗୋପନ କରିବା ପରେ ମହାରାଷ୍ଟ୍ରର ମେଣ୍ଟ ସରକାର ଭାଙ୍ଗିଥିଲା । ଫ୍ଲୋର ଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଉଦ୍ଧବ ଠାକରେ । ପରେ ବିଜେପି ସହ ସିନ୍ଦେଙ୍କ ବିଦ୍ରୋହୀ ଗୋଷ୍ଠୀ ମେଣ୍ଟ କରିବା ସହ ନୂଆ ସରକାର ଗଠନ ହୋଇଥିଲା । ହେଲେ ଗତ କିଛିଦିନ ଧରି ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବାକୁ ନେଇ ଚର୍ଚ୍ଚା ଚରମ ସୀମାରେ ପହଞ୍ଚିଛି ।

Latest Posts

Don't Miss