ମହୁଲ ଫୁଲ ସଂଗ୍ରହ ଆରମ୍ଭରୁ ଦେଖାଦେଲାଣି ଅଭାବୀ ବିକ୍ରି

ନନ୍ଦିଘୋଷ ବ୍ୟୁରୋ: ଜଙ୍ଗଲ ହେଉଛି ଆଦିବାସୀଙ୍କ ଜୀବନ ରେଖା । ଜଙ୍ଗଲରୁ ଉତ୍ପାଦିତ ହେଉଥିବା ଝୁଣା ଲାଖ ମହୁଲ, କେନ୍ଦୁ ଭଳି ଲଘୁ ବନଜାତ ଦ୍ରବ୍ୟ ବିକ୍ରି କରି ଆଦିବାସୀମାନେ ପରିବାର ପ୍ରତିପୋଷଣ କରନ୍ତି । ଏବେ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଲୋକ ମହୁଲ ଫୁଲ ସଂଗ୍ରହ କରୁଛନ୍ତି । ହେଲେ ଫୁଲର ଅଭାବୀ ବିକ୍ରି ପାଇଁ ଦଲାଲ ମାଲାମାଲ ହେଉଥିବା ବେଳେ ଶୋଷଣର ଶିକାର ହେଉଛନ୍ତି ମହୁଲ ଫୁଲ ଗୋଟାଳି ।

ହାତରେ ରହିଛି ଡାଲା । ଆଉ ମହୁଲ ଫୁଲ ଗୋଟାଇବାରେ ଲାଗିପଡିଛନ୍ତି ମହିଳାମାନେ । ଏଭଳି ଦୃଶ୍ଯ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ପ୍ରତି ବର୍ଷ ମାର୍ଚ୍ଚ ମାସରେ କୋକସରା ବ୍ଲକ ସାହାଜଖୋଲ, ଗୋଲାମୁଣ୍ଡା ବ୍ଲକ ଚୁରା, ନାଗେସ ଆଦି ସଂରକ୍ଷିତ ଜଙ୍ଗଲ ପାଦ ଦେଶରେ ଥିବା ଆଦିବାସୀ ଅଞ୍ଚଳର ଲୋକେ ମହୁଲ ଫୁଲ ସଂଗ୍ରହ କରନ୍ତି । ଯାହାକୁ ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି । ହେଲେ ମହୁଲ ଫୁଲ ସଂଗ୍ରହ ଆରମ୍ଭରୁ ଅଭାବୀ ବିକ୍ରିର ଶିକାର ହେଲେଣି ଲୋକେ । ଦଲାଲ ମାନେ କିଲୋ ପିଛା ୨୦ ଟଙ୍କାରେ କିଣିନେଉଥିବା ଅଭିଯୋଗ କରିଛନ୍ତି ।

ଆଦିବାସୀ ଅଧ୍ଯୁଷିତ ଅଞ୍ଚଳର ଲୋକେ ମାର୍ଚ୍ଚ ରୁ ମେ ମାସ ପର୍ଯ୍ଯନ୍ତ ମହୁଲ ଫୁଲ ଗୋଟାଇ ପରିବାର ପ୍ରତିପୋଷଣ କରନ୍ତି । ପୂର୍ବ ସରକାରଙ୍କ ସମୟରେ ଆଦିବାସୀ ଉନ୍ନୟନ ସମବାୟ ନିଗମ ଜରିଆରେ ଲାଭ ଯୋଜନା ମାଧ୍ୟମରେ ଲଘୁ ବନ ଜାତ ଦ୍ରବ୍ୟ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଜରିଆରେ କ୍ରୟ କରାଯାଉଥିଲା  । ହେଲେ ନୂଆ ସରକାରରେ ମହୁଲ ଫୁଲ ସଂଗ୍ରହ ଆରମ୍ଭ ହୋଇଥିଲେ ବି ସେମିତି କିଛି ଯୋଜନା ଆରମ୍ଭ ହୋଇ ନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ସରକାରଙ୍କ ତରଫରୁ ଧାନ , କପା ପରି ଏକ ମହୁଲ ମଣ୍ଡିର ବ୍ଯବସ୍ଥା କରାଗଲେ ଆଦିବାସୀ ମାନେ ମଣ୍ଡିରେ ଫୁଲ ବିକ୍ରି କରି ବେଶ ଦୁଇ ପଇସା ଲାଭ ପାଇ ପାରନ୍ତେ  ।