ମଧ୍ୟପ୍ରାଚ୍ୟ ସହ ବଢ଼ିବ ବାଣିଜ୍ୟକ ସମ୍ପର୍କ, ଆଜି ଦୁବାଇରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍

ଦୁବାଇ: ଆଜି ଦୁବାଇରେ ଅନୁଷ୍ଠିତ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ । ମଧ୍ୟ ପ୍ରାଚ୍ୟର ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଞ୍ଜିନିବେଶ ପାଇଁ ଓଡ଼ିଶାର ଅନୁକୂଳ ପରିବେଶ ସମ୍ପର୍କରେ ବିଦେଶୀ ନିବେଶକଙ୍କୁ ଅବଗତ କରିବେ ମୁଖ୍ୟମନ୍ତ୍ରୀ । ଏହା ପୂବର୍ରୁ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ଦୁବାଇ ମଲ୍ଟି କମୋଡିଟିଜ୍ ସେଣ୍ଟର ଏବଂ ସାରଜାର ସାରାଜା ବିମାନବନ୍ଦର ଅନ୍ତର୍ଜାତୀୟ ମୁକ୍ତ ଜୋନ୍ କର୍ତ୍ତୃପକ୍ଷଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ।

ଡିଏମସିସି ଏକ ଫ୍ରି ଟ୍ରେଡ୍ ଜୋନ୍ ପାଇଁ ସାରା ବିଶ୍ୱରେ ଜଣାଶୁଣା । ଗୋଟିଏ ଛାତ ତଳେ କୃଷି ଜାତ ଦ୍ରବ୍ୟଠାରୁ ଆରମ୍ଭ କରି ଚାହା, କଫି, ସୁନା, ହୀରା, କ୍ରିପ୍ଟୋକରେନ୍ସି ଏଠାରେ ଉପଲବ୍ଧ । ମୁଖ୍ୟ ଶାସନ ସଚିବ ସାରଜା ଓ ଓଡ଼ିଶା ମଧ୍ୟରେ ଦକ୍ଷତା ସହ ପ୍ରଶିକ୍ଷଣ ବିନିମୟ ବାବଦରେ ଆଲୋଚନା କରିଛନ୍ତି । ସେହିପରି ଟିମ୍ ଓଡ଼ିଶା ସୈଫ ଜୋନ୍ ଅଥରିଟିଙ୍କ ସହ ମଧ୍ୟ କଥା ହୋଇଛନ୍ତି । ଟିମ୍ ଓଡ଼ିଶାରେ ଶିଳ୍ପ ସଚିବ ହେମନ୍ତ ଶର୍ମା, ଇପିକଲ ମୁଖ୍ୟ ଭୁପିନ୍ଦର ସିଂହ ପୁନିଆ ଏବଂ ଓଡ଼ିଶାର ଶିଳ୍ପପତିମାନେ ସାମିଲ ଥିଲେ । ଦୁବାଇରେ ଅନୁଷ୍ଠିତ ହେଉଥିବା ମେକ୍ ଇନ୍ ଓଡ଼ିଶାରେ ଯୋଗ ଦେବାକୁ ମୁଖ୍ୟ ଶାସନ ସଚିବ ନିମନ୍ତ୍ରଣ କରିଛନ୍ତି । ଓଡ଼ିଶାକୁ ବିପୁଳ ପରିମାଣରେ ପୁଞ୍ଜିନିବେଶ ଆଣିବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଏକ ନିବେଶକ ସମ୍ମେଳନର ପରିକଳ୍ପନା କରିଥିବା ବେଳେ, ଏହି ପ୍ରୟାସ ଆଗାମୀ ଦିନରେ ରାଜ୍ୟର ବିକାଶକୁ ଅଧିକ ଦୃତତର କରିବ ବୋଲି କୁହାଯାଉଛି ।

ନିବେଶକ ସମ୍ମେଳନ ପରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମଧ୍ୟପ୍ରାଚ୍ୟରେ କାର୍ଯ୍ୟ କରୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ମଧ୍ୟପ୍ରାଚ୍ୟ ଓ ଓଡ଼ିଶା ମଧ୍ୟରେ ଅର୍ଥନୀତିକ ଓ ସାମାଜିକ ସମ୍ପର୍କକୁ ଏକ ନୂଆ ଦିଗ ପ୍ରଦାନ କରିବା ନେଇ ଆଶା କରାଯାଉଛି । ବିଶେଷକରି ଏହି ନିବେଶକ ସମ୍ମେଳନରେ ଫୁଡ୍ ପ୍ରୋସେସିଂ, ପେଟ୍ରୋକେମିକାଲ, କେମିକାଲ ଏବଂ ପ୍ଲାଷ୍ଟିକ ମେଟାଲ୍ସ, ଇଲେକଟ୍ରୋନିକ୍ସ କମ୍ପାନୀଙ୍କୁ ଓଡ଼ିଶାରେ ନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିବେ । ନିକଟ ଅତୀତରେ ରାଜ୍ୟରେ ଶିଳ୍ପ ଅନୁକୂଳ ବାତାବରଣ ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି ।

ସ୍ୱଳ୍ପ ସମୟ ମଧ୍ୟରେ ପରିବେଶ ମଞ୍ଜୁରୀଠାରୁ ଆରମ୍ଭ କରି ଜମି ଅଧିଗ୍ରହଣରେ ସହଜ ନୀତି, ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ରାଜ୍ୟରେ ଶିଳ୍ପ ସ୍ଥାପନ ପାଇଁ ବାଟକୁ ଖୁବ୍ ସରଳ କରିଛି । ୟୁଏଇରେ ରହୁଥିବା ପ୍ରବାସୀଙ୍କ ଅଭିଜ୍ଞତାକୁ କିପରି ଓଡ଼ିଶାରେ ଲଗାଯାଇପାରିବ ସେନେଇ ମୁଖ୍ୟମନ୍ତ୍ରୀ ସହଯୋଗ କାମନା କରିବେ । ଗତକାଲି ଗଲଫ ଦେଶ ପୁଞ୍ଜିପତି ଓଡ଼ିଆ ଡେଲିଗେସନଙ୍କ ସହ ପାରସ୍ପରିକ ବ୍ୟବସାୟ ପାଇଁ ଆଲୋଚନା କରିଛନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାଖରୁ ଦେଖି ଉତ୍ସାହିତ ଅଛନ୍ତି ପ୍ରବାସୀ ଓଡ଼ିଆ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି କଳାହାଣ୍ଡିର ଘୁମୁରା ଓ ବଜାଶାଲ୍ ଲୋକକଳା ଶିଳ୍ପୀ ଦୁବାଇ ଯାଇଥିବା ଜଣାପଡ଼ିଛି ।