ମାଳଦ୍ୱୀପ ନିଜର ମାଲେ ପୋର୍ଟରେ ଚୀନ ଜାହାଜକୁ ସ୍ୱାଗତ କରିବ

ବ୍ୟୁରୋ ରିପୋର୍ଟ: ଭାରତ ମହାସାଗରରେ ଚୀନର ଉପସ୍ଥିତି ବଢିବାରେ ଲାଗିଛି । ଚୀନର ଏକ ନୂଆ ଗୁଇନ୍ଦା ଜାହାଜ ଏବେ ମାଳଦ୍ୱୀପ ଆଡ଼କୁ ଅଗ୍ରସର ହେଉଛି । ମାଳଦ୍ୱୀପ ପକ୍ଷରୁ ଚୀନ ଜାହାଜକୁ ନେଇ ଚର୍ଚ୍ଚା ହେଉଥିବା ଖବର ସଠିକ ବୋଲି କୁହାଯାଇଛି । ମାଳଦ୍ୱୀପ କହିଛି ଯେ ସେ ଚୀନ ଜାହାଜକୁ ସ୍ୱାଗତ କରିବ । ମାଳଦ୍ୱୀପ ଏକ ବୟାନ ଜାରି କରି କହିଛି ଯେ, ସେ ବନ୍ଧୁରାଷ୍ଟ୍ରର ଜାହାଜକୁ ସ୍ୱାଗତ କରିବ। ମାଳଦ୍ୱୀପ ନିଜର ମାଲେ ପୋର୍ଟରେ ଚୀନ ଜାହାଜକୁ ସ୍ୱାଗତ କରିବ।

ଏସବୁ ଭିତରେ ଭାରତୀୟ ନୌସେନା ଚୀନ ଜାହାଜର ଗତିପଥ ଉପରେ ନଜର ରଖିଛି। ମାଳଦ୍ୱୀପ ସରକାର ସ୍ପଷ୍ଟ କରିଛନ୍ତି ଯେ, ଚୀନ ଜାହାଜ ମାଳଦ୍ୱୀପର ଜଳ କ୍ଷେତ୍ରରେ କୌଣସି ଅନୁସନ୍ଧାନ କରିବ ନାହିଁ । ମାଳଦ୍ୱୀପ ଏହା ମଧ୍ୟ କହିଛି ଯେ, ଚୀନର ଏହି ଜାହାଜ ରୋଟେସନ୍ ଏବଂ ରିପ୍ଲେସମେଣ୍ଟ ପାଇଁ ମଞ୍ଜୁରୀ ଲୋଡ଼ିଥିଲା ।

ସେପଟେ ଚୀନ ଜାହାଜ ଏପରି ଏକ ସମୟରେ ମାଳଦ୍ୱୀପ ପହଞ୍ଚୁଛି, ଯେତେବେଳେ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ସମ୍ପର୍କ ଭଲ ନାହିଁ। ଅନ୍ୟପଟେ ଚୀନ ସହ ମାଳଦ୍ୱୀପର ସମ୍ପର୍କ ଘନିଷ୍ଠ ହେବାରେ ଲାଗିଛି। ଭାରତୀୟ ନୌସେନାର ଗତିବିଧି ଜାଣିବା ପାଇଁ ଚୀନ ଜାହାଜ ପଠାଉଥିବା ମଧ୍ୟ ଚର୍ଚ୍ଚା ହେଉଛି ।