ମାଛ ରୋଷେଇ କରିବେ ମମତା ଖାଇବେ ପିଏମ ମୋଦି, ନିମନ୍ତ୍ରଣ ଦେଲେ ଦିଦି

କୋଲକାତା: ବିହାର ରାଜନୀତିରେ ମାଛ ମହାଭାରତ ପରେ ଏବେ ପଶ୍ଚିମବଙ୍ଗରେ ଏଣ୍ଟ୍ରି କରିଛି ମାଛ କଳି  । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାଛ ଖୁଆଇବା ପାଇଁ ଅଫର୍‌ ଦେଇଛନ୍ତି  । ତେଜସ୍ବୀ ମୁକେଶଙ୍କ ମାଛ ପ୍ରକରଣକୁ ଆଗକୁ ବଢାଇ ମମତା ଦିଦି ପଶ୍ଚିମବଙ୍ଗର ନିର୍ବାଚନୀ ମେନ୍ୟୁ ସେଟ୍‌ କରିଛନ୍ତି  । ମମତା ପୁଣିଥରେ ମାଛ ବିବାଦ ନିଆଁରେ ଘିଅ ଢାଳି ଦେଇଛନ୍ତି ।

‘‘ଯଦି ମୋଦି ଚାହିଁବେ ତାଙ୍କ ପାଇଁ ମୁଁ ରୋଷେଇ କରିପାରିବି  । କିନ୍ତୁ ସେ ମୋ ହାତରୁ ଖାଇବା କି ନାହିଁ ସେନେଇ ମୁଁ ନିଶ୍ଚିତ ନୁହେଁ’’ ବୋଲି କହିଛନ୍ତି ମମତା  । ନିକଟରେ ପିଏମ ମୋଦି ତେଜସ୍ବୀ ଯାଦବଙ୍କ ମାଛ ଖିଆକୁ ନେଇ କଟାକ୍ଷ କରିବା ପରେ ଏଭଳି କହିଛନ୍ତି ମୋଦି  ।  ‘‘ ମୁଁ ପିଲାଦିନରୁ ରୋଷେଇ କରିବାକୁ ଭଲପାଏ  । ଲୋକେ ମୋ ଖାଦ୍ୟର ପ୍ରଶଂସା ବି କରନ୍ତି  । କିନ୍ତୁ ମୋଦିଜୀ କଣ ମୋ ହାତରନ୍ଧା ଖାଇବେ ? ସେ କଣ ମୋ ଉପରେ ବିଶ୍ବାସ କରିପାରିବେ  । ମୋଦିଙ୍କୁ ଯାହା ପସନ୍ଦ ମୁଁ ତାହା ପ୍ରସ୍ତୁତ କରିବାକୁ ରାଜି ଅଛି’‘  ।

 

 ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି ’ମୋତେ ଢୋକଲା ପରି ଶାକାହାରୀ ବ୍ୟଞ୍ଜନ ଓ ମାଛ ତରକାରୀ ଭଳି ମାଂସାହାରୀ ବ୍ୟଞ୍ଜନ ଖାଇବାକୁ ପସନ୍ଦ  । ହିନ୍ଦୁ ଧର୍ମର ବିଭିନ୍ନ ସମୁଦାୟ ଓ ବିଭିନ୍ନ ସମ୍ପ୍ରଦାୟର ଖାଦ୍ୟ ପାନୀୟ ଅଭ୍ୟାସ ସମ୍ପୂର୍ଣ୍ଣ ଭିନ୍ନ  । ହେଲେ ବିଜେପି କିଏ ଯେ କୌଣସି ବ୍ୟକ୍ତିଙ୍କ ଖାଦ୍ୟ ପାନୀୟ ପସନ୍ଦରେ କଟକଣା ଲଗାଇବ ? ଏହା ଦର୍ଶାଉଛି ଯେ ବିଜେପି ନେତୃତ୍ବଙ୍କୁ ଭାରତ ଓ ଏହାର ବାସିନ୍ଦାଙ୍କ ବିବିଧତା ବିଷୟରେ ଖୁବ କମ୍‌ ଜଣାଅଛି  ।

 

ଗତ ଏପ୍ରିଲ ମାସରେ ପିଏମ ମୋଦି ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ମାଛ ଖିଆକୁ ନେଇ କଟାକ୍ଷ କରିଥିଲେ  । ଜମ୍ମୁ କାଶ୍ମୀରର ଉଧମପୁରରେ ଏକ ସଭାକୁ ସମ୍ବୋଧିତ କରି ମୋଦି କହିଥିଲେ ନବରାତ୍ର ଚାଲିଥିବା ସମୟରେ କିଛି ଲୋକେ ନନଭେଜ ଖାଉଛନ୍ତି  । ଅନ୍ୟମାନଙ୍କ ଭାବନାକୁ ଆଘାତ ଦେବା ପାଇଁ ଜାଣିଶୁଣି ଭିଡିଓ ଭାଇରାଲ କରୁଛନ୍ତି  । କିଛି ଲୋକେ ଦେଶର ଭାବନାକୁ ଆଘାତ ଦେଉଛନ୍ତି  । ସେମାନଙ୍କର ମୋଗଲଙ୍କ ଭଳି ଚିନ୍ତାଧାରା ରହିଛି  । ଜାଣିଶୁଣି ସେମାନେ ଏଭଳି କରି ଦେଶର ଭାବନାକୁ ଆକ୍ରମଣ କରୁଛନ୍ତି  ।