ନନ୍ଦିଘୋଷ ବ୍ୟୁରୋ : ବଞ୍ଚି ଥାଉ ଥାଉ ମାରିଦେଲେ। କାଗଜପତ୍ରରେ ସେମାନଙ୍କୁ ମାରି ଦେଇଛନ୍ତି ନିର୍ବାଚନ କମିଶନ। ଅର୍ଥାତ ସେମାନେ ଜୀବିତ ଥିଲେ ମଧ୍ୟ ମୃତ ଦର୍ଶାଇଛନ୍ତି ନିର୍ବାଚନ କମିଶନ । ଏହି ଘଟଣା ହେଉଛି ପଶ୍ଚିମବଙ୍ଗ । ସେହିପରି ବ୍ୟକ୍ତିଙ୍କର ଏକ ଟିମ୍ କୁ ନେଇ ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହା ପରେ ସେ ନିର୍ବାଚନ କମିଶନଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ସେ ଅଭିଯୋଗ କରିଛନ୍ତି, ମନମାନି ଓ ଖାମଖିଆଲି ଭାବେ ଲୋକଙ୍କୁ ମୃତ ଦର୍ଶାଇ ଭୋଟର ତାଲିକାରୁ ବାଦ ଦିଆଯାଇଛି ।
SIR ର ଅପବ୍ୟବହାର କରାଯାଉଛି, ବୁଥ୍ ସ୍ତରୀୟ ଅଧିକାରୀଙ୍କ ଉପରେ ଅଯଥା ଚାପ ଦିଆଯାଉଛି। ନିର୍ବାଚନ କମିଶନ ବିଜେପିର ଆଇଟି ସେଲରେ ପରିଣତ ହୋଇଥିବାର ସଂଗୀନ ଅଭିଯୋଗ କରିଛନ୍ତି ମମତା ବାନାର୍ଜୀ। ସେ ପ୍ରଶ୍ନ କରିଛନ୍ତି ନିର୍ବାଚନ ହେବାର ଥିଲେ ମଧ୍ୟ ଆସାମରେ ଏସଆଇଆର୍ କରାଯାଇନି। କିନ୍ତୁ ବିରୋଧୀ ଦଳର ଶାସନ ଥିବାରୁ ପଶ୍ଚିମବଙ୍ଗ ଓ ତାମିଲନାଡୁକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ସରକାର। ମନମୁଖୀ ଭାବେ ପଶ୍ଚିମବଙ୍ଗର ୫୮ ଲକ୍ଷ ଲୋକଙ୍କୁ ଭୋଟର ତାଲିକାରୁ କାଟି ଦିଆଯାଇଥିବା କହିଛନ୍ତି ମମତା ବାନାର୍ଜୀ।
ଆମ ବାପା ମାଆ ମାନେ କେଉଁଠୁ ଜନ୍ମ ସାର୍ଟିଫିକେଟ ପାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି। ନିର୍ବାଚନ କମଶନଙ୍କୁ ଗୁହାରି କରିଥିବା ଆସିଥିବା ଲୋକଙ୍କୁ ଦିଲ୍ଲୀ ପୋଲିସ ଘେରାଉ କରିଥିବା ଅଭିଯୋଗ କରି ମଧ୍ୟ ବର୍ଷିଥିଲେ ମମତା ବାନାର୍ଜୀ। ଏକ ଗେଷ୍ଟ ହାଉସରୁ ସେମାନଙ୍କୁ ବାହାରିବାକୁ ଦିଆଯାଇନଥିଲା। ଟିଏମସି ସାଂସଦମାନେ ହସ୍ତକ୍ଷେପ କରିବା ପରେ ସେମାନଙ୍କୁ ଅଲଗା ଗେଷ୍ଟ ହାଉସକୁ ନିଆଯାଇଥିଲା। ଏହାକୁ ନେଇ ମଧ୍ୟ ଜୋରଦାର ବର୍ଷିଛନ୍ତି ମମତା ବାନାର୍ଜୀ।

