ଅଖିଳେଶଙ୍କ ପାଇଁ ପ୍ରଚାର ମୈଦାନରେ ମମତା,: ‘ଯୋଗୀ ଆସିଲେ ତମକୁ ଖାଇଯିବ‘

ଲକ୍ଷ୍ଣୗେ: ଉତ୍ତରପ୍ରଦେଶ ନିର୍ବାଚନରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ । ସମାଜବାଦୀ ପାର୍ଟି ରାଜ୍ୟ ମୁଖ୍ୟ ଅଖିଳେଶ ଯାଦବଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ମମତା ବାନାର୍ଜୀ । ମଙ୍ଗଳବାର ଏଠାରେ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ଯୋଗୀ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ମମତା । ଏହା ସହିତ ସମାଜବାଦୀ ପାର୍ଟିକୁ ଭୋଟ ଦେବାକୁ ନିବେଦନ କରିଛନ୍ତି ।ସେ କହିଛନ୍ତି ଉତ୍ତରପ୍ରଦେଶ ଦେଶର ସବୁଠାରୁ ବଡ଼ ରାଜ୍ୟ । ବିଜେପି ଯଦି ଏଠାରେ ଗାଦିଚ୍ୟୁତ ହୁଏ ତେବେ ସାରା ଦେଶରେ କ୍ଷମତାରୁ ହଟାଇବା ସହଜ ହେବ  । ସେ ସଂଖ୍ୟାଲଘୁ ବର୍ଗର ଲୋକଙ୍କୁ ସମ୍ୱୋଧିତ କରି କହିଛନ୍ତି ଯେ, ଆପଣମାନେ ସବୁ ଏକଜୁଟ ହୋଇ ସମାଜବାଦୀ ପାର୍ଟି ସପକ୍ଷରେ ଭୋଟ ଦିଅନ୍ତୁ । ନଚେତ ଯୋଗୀ ଆଦିତ୍ୟନାଥ କ୍ଷମତାକୁ ଆସିଲେ ଆପଣମାନଙ୍କୁ ଖାଇଯିବେ । ସେ ପଶ୍ଚିମବଙ୍ଗରେ ତାଙ୍କ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ କେନ୍ଦ୍ର ସରକାର ଏହାର ନକଲ କରୁଥିବା କହିଛନ୍ତି । ତେବେ ସେ ଭଲ କାର୍ଯ୍ୟକୁ ନକଲ କରନ୍ତୁ । କିନ୍ତୁ  ଏନ୍‌ଆରସି , ବିମୁଦ୍ରୀକରଣ, ନକଲି ଏନକାଉଣ୍ଟର କରନ୍ତୁନାହିଁ ।

ଏହା ସହିତ ହାଥରସ୍‌ କାଣ୍ଡ, କରୋନା କାଳରେ ଅବ୍ୟବସ୍ଥା ଯୋଗୁଁ ହୋଇଥିବା ମୃତ୍ୟୁକୁ ନେଇ ବିଜେପି ପ୍ରଥମେ କ୍ଷମା ପ୍ରାର୍ଥନା କରୁ ପରେ ଭୋଟ ଭିକ୍ଷା କରିବ ବୋଲି କହିଛନ୍ତି ମମତା । ସେ ଆହୁରି କହିଛନ୍ତି ଯେ, କେନ୍ଦ୍ର ସରକାର ସବୁଠାରୁ ଅଧିକ ଅନୁଦାନ ଉତ୍ତରପ୍ରଦେଶକୁ ଦେଇଛନ୍ତି । ଏହାସତ୍ତ୍ୱେ ରାଜ୍ୟରେ କେଉଁଠି ବିକାଶ ହୋଇନାହିଁ । ଏଭଳି କି କରୋନାରେ ମୃତକଙ୍କ ଶେଷକୃତ୍ୟ ନେଇ ମଧ୍ୟ କୌଣସି ସହାୟତା କରିପାରିନାହିଁ । ଯୋଗୀ ସରକାର ଯଦି କରୋନାରେ ମୃତକ ଏବଂ ଚାଷୀ ଆନ୍ଦୋଳନରେ ମୃତକଙ୍କ ପରିବାର ଲୋକଙ୍କୁ ଚାକିରି ଦେବା ନେଇ ନିର୍ବାଚନୀ ଇସ୍ତିହାରରେ ଯଦି ଘୋଷଣା କରିଥାନ୍ତେ ତେବେ ଆମେ ଖୁସି ହୋଇଥାନ୍ତୁ । ବିଜେପି ଦେଶ ବିଭାଜନର କାର୍ଯ୍ୟ କରିଛି, ଇତିହାସକୁ ବଦଳାଇବାର କାମ କରିଛି, ଷ୍ଟେସନ ନାମ ବଦଳାଇବାର କାମ କରିଛି, ବାବା ସାହେବ ଆମ୍ୱେଦକରଙ୍କ ସମ୍ୱିଧାନ ସହ ଖେଳୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମମତା ।

ଏଥିସହିତ ପଢ଼ନ୍ତୁ: କୋଭିଡ ଟିକା ଲାଗି ଏଣିକି ଆବଶ୍ୟକ ନାହିଁ ଆଧାର କାର୍ଡ

Leave a Reply