ପୁରୁଷଙ୍କ ତୁଳନାରେ ମହିଳାଙ୍କ ଆୟ କମ୍

ଭୁବନେଶ୍ବର: ୨୦୫୦ ବେଳକୁ ୬୫ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ମହିଳା ହେବେ ରୋଜଗାର ଶୂନ୍ୟ। ପ୍ରଭାବିତ ହେବ ୨୦୩୦ ଜାତିସଂଘ ନିରନ୍ତର ବିକାଶ ଲକ୍ଷ୍ୟ। ଏନେଇ ଏକ ସର୍ଭେ ରିପୋର୍ଟ ଜାତିସଂଘ ପ୍ରକାଶ କରିବା ପରେ ସବୁ ମହଲରେ ଉଦବେଗ ପ୍ରକାଶ ପାଇଛି। ଭାରତରେ ପେନ୍ସନ୍ ବ୍ୟବସ୍ଥା ଥିଲେ ବି ଦରଦାମ ବୃଦ୍ଧି ଓ ମୁଦ୍ରାସ୍ଫୀତି ବୃଦ୍ଧାଙ୍କ ରୋଜଗାରକୁ ପ୍ରଭାବିତ କରିବ । କିନ୍ତୁ ଓଡ଼ିଶା କ୍ଷେତ୍ରରେ ବିଶ୍ବ ସମସ୍ୟାର କୌଣସି ପ୍ରଭାବ ପଡ଼ିବନି। ୨୦୦୧ ମସିହାରୁ ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ମୁଖ୍ୟମନ୍ତ୍ରୀ ଯେଉଁ ବ୍ୟବସ୍ଥା ଦେଇଛନ୍ତି ତାହା ଏବେ ମହାଦ୍ରୁମରେ ପରିଣତ ହୋଇଛି।

ପୁରୁଷଙ୍କ ତୁଳନାରେ ମହିଳାଙ୍କ ଆୟ କମ୍। ମହିଳାଙ୍କ ପ୍ରତି ବିଶ୍ବସ୍ତରରେ ହେଉଛି ବାଛବିଚାର। ଫଳରେ ଜାତିସଂଘ ଦ୍ବାରା ନିର୍ଦ୍ଧାରିତ ୨୦୩୦ ନିରନ୍ତର ବିକାଶ ଲକ୍ଷ୍ୟ ବାଧାପ୍ରାପ୍ତ ହେବ। ୧୧୬ଟି ଦେଶରୁ ୨୮ଟି ଦେଶରେ ମହିଳାଙ୍କ ପାଇଁ ପେନ୍ସନ୍ ବ୍ୟବସ୍ଥା ନାହିଁ। କୌଣସି ସରକାରୀ ଚାକିରିଆଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ପେନ୍ସନ୍ ପାଇବାର ସୁବିଧା ଭାରତ ଭଳି ବହୁତ୍ କମ ଦେଶରେ ରହିଛି । ବିଶେଷକରି ଅନୁନ୍ନତ ଦେଶରେ ବାସ କରୁଥିବା ୭୮ପ୍ରତିଶତ ୬୫ବର୍ଷରୁ ଅଧିକ ବୟସ୍କ ମହିଳାଙ୍କ ରୋଜଗାର ନେଇ ଉଦବେଗ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ବିଶ୍ବର ଆର୍ଥିକ ମାନ୍ଦାବସ୍ଥା ଯୋଗୁ ୫୫ରୁ ୫୯ ବର୍ଷ ବୟସର ମହିଳାମାନେ ବେଶୀ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି। ଆର୍ଥିକ ମାନ୍ଦାବସ୍ଥା ଯୋଗୁ ବିଶ୍ବର ଗୋଟିଏ ପରେ ଗୋଟିଏ ଦେଶ ଏବେ ଦେବାଳିଆ ସ୍ଥିତିରେ ପହଞ୍ଚିଛନ୍ତି। ଏଭଳି ସ୍ଥିତିରେ ମହଙ୍ଗା ମାଡ଼ ଯୋଗୁ ମହିଳାଙ୍କ ଆର୍ଥିକ ଅବସ୍ଥା ୨୦୫୦ ବେଳକୁ ଆହୁରି ବିଗିଡ଼ିଯିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ ।

ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୧ ମସିହାରୁ ଉଦ୍ୟମ ଆରମ୍ଭ କରିଛନ୍ତି। ମିଶନ ଶକ୍ତି ଆଜି ମହାଦ୍ରୁମରେ ପରିଣତ ହୋଇଛି। ୭୦ଲକ୍ଷ ମହିଳା ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟକୁ ରୋଜଗାର ଦେଇପାରୁଛନ୍ତି । ଏହା ବିଶ୍ବସ୍ତରରେ ନୂଆ ଉଦାହରଣ ସୃଷ୍ଟି କରିଛି। ମହିଳା ରୋଜଗାର ହରାଇବା ନେଇ ଜାତିସଂଘ ରିପୋର୍ଟ ଭାରତରେ ଯାହା ପ୍ରଭାବ ପକାଇଲେ ବି ଓଡ଼ିଶା କ୍ଷେତ୍ରରେ ସେତେଟା ଗଭୀର ପ୍ରଭାବ ପକାଇବନି। ମହିଳାଙ୍କୁ ଆତ୍ମନିର୍ଭର କରିବାକୁ ବହୁ ପୂର୍ବରୁ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ବିନାସୁଧରେ ମହିଳାଙ୍କ ସ୍ବୟଂସହାୟକ ଗୋଷ୍ଠୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ସହ ସେମାନଙ୍କ ଉତ୍ପାଦକୁ ବିପଣନ କରିବାର ଗ୍ୟାରେଣ୍ଟି ସରକାର ଦେଇଛନ୍ତି। ଏହାସହିତ ବିଭିନ୍ନ ସେବା କ୍ଷେତ୍ରରେ କିପରି ମହିଳାଙ୍କ ଭାଗିଦାରୀ ବଢ଼ିବ ସେନେଇ ବି କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି ମୁଖ୍ୟମନ୍ତ୍ରୀ।