ବାହାନଗା ଟ୍ରେନ ଟ୍ରାଜେଡି: କାନ୍ଥରୁ ବାହା ଚିତା ଲିଭିନି, ହେଲେ ମଥାରୁ ଲିଭିଗଲା ସିନ୍ଦୂର

ଆଉ ଦିନ କେଇଟା ପରେ ଥିଲା ମ୍ୟାରେଜ ଆନିଭର୍ସରି। ଆଖିରେ ଆଖିଏ ସ୍ବପ୍ନ। ସ୍ବାମୀ ଫେରିବେ, ଧୁମଧାମରେ ପାଳିବେ ସ୍ମୃତିର ମୁହୂର୍ତ୍ତ । ହେଲେ ମୃତ୍ୟୁ ଯେ ମାମାଙ୍କ ଠାରୁ ଗୋବିନ୍ଦଙ୍କୁ ଛଡାଇନେବ କିଏବା ଜାଣିଥିଲା ! ସେ ଆସୁଥିବା ଟ୍ରେନ ଯେ ଯମଙ୍କ ଦୁଆରକୁ ବାଟ କଢେଇବ କିଏବା ଭାବିଥିଲା । ସକାଳର ଖୁସି ସଂଧ୍ୟାରେ ଦୁଃଖରେ ପରିଣତ ହୋଇଯିବ କିଏବା ଅନୁମାନ କରିଥିଲା। କାନ୍ଥରୁ ବିବାହ ଚିତା ଲିଭିବା ପୂର୍ବରୁ ଜୀବନ ଦ୍ବୀପ ଲିଭିଗଲା। ବାପାଙ୍କୁ ଭଲରେ ଚିହ୍ନିବା ପୂର୍ବରୁ ବାହାନଗା ଟ୍ରେନ ଦୁର୍ଘଟଣା କଅଁଳା ଶିଶୁର ମୁଣ୍ଡରୁ ସ୍ନେହର ହାତ ଛଡାଇନେଲା। ମୃତଦେହ ବାସୁଦେବପୁର ବ୍ଲକର ସୁଗୋ ପଞ୍ଚାୟତର ସାହୁ ସାହିରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟୁଥିଲା ପରିବେଶ ।

ରବୀନ୍ଦ୍ର ସାହୁ ଓ ଅନ୍ନପୂର୍ଣ୍ଣାଙ୍କ ପୁଅ ଗୋବିନ୍ଦ କୋଲକାତାରେ ରହି ପାଣି  ପାଇପ୍ ଲାଇନରେ ଠିକାଦାର ଭାବେ କାମ କରୁଥିଲେ । ୨୦୨୨ ଜୁନ ୧୦ ତାରିଖରେ ଭଦ୍ରକ ଜଗନ୍ନାଥପୁରର ବିଜୟାଙ୍କ ସହିତ ବିବାହ ହୋଇଥିଲା । କୋଳରେ ଅଛି ଦେଢ ମାସର ଶିଶୁ କନ୍ୟା । ଜୁନ୍ ୧୦ ରେ ପାଳିଥାନ୍ତେ ବିବାହ ବାର୍ଷିକୀ। ଏଥିସହ ଝିଅ ଓ ପରିବାରକୁ ଦେଖିବା ଖୁସିରେ ଗାଁକୁ ଫେରୁଥିଲେ ଗୋବିନ୍ଦ। ପରିବାର ଖୁସିରେ ଅପେକ୍ଷା କରିଥିଲେ ।  ହେଲେ କାଳ ସାଜିଲା କରମଣ୍ଡଳ  । ଗଣମାଧ୍ୟମରେ ଶୁଭିଥିଲା ଅଶୁଭ ଖବର  । ଆତଙ୍କିତ ହୋଇ ବାପା ଘଟଣା ସ୍ଥଳରେ ପହଞ୍ଚି ଶବର ସଭା ମଧ୍ୟରେ ପୁଅକୁ ଖୋଜିଥିଲେ । ହେଲେ ସେ ତ ମିଳିନଥିଲେ ମିଳିଥିଲା ମୃତଦେହ  । ଗାଁରେ ଛାଇଯାଇଥିଲା ଶୋକର କଳାବାଦଲ  ।