ହାତ ଉଧାରିରୁ ପାରିବାରିକ ଅଶାନ୍ତି, ସମସ୍ତଙ୍କୁ ମାରିବାକୁ ଘରେ ଲଗାଇ ଦେଇଥିଲେ ନିଆଁ

Man Sets Fire In Home For Loan In Rayagada, 2 Dead

କଲ୍ୟାଣସିଂହପୁର: କରଜ, କଳହର କରୁଣ ପରିଣତି । ହସଖୁସିର ପରିବାର ଜଳିଗଲା, ରାଗ ପାଇଁ ନିଆଁର ଆଁରେ ଲିଭିଗଲା ଦୁଇ ଦୁଇଟି ଜୀବନ ଦୀପ । ଏବେ ହସ୍ପିଟାଲ ବେଡରେ ମୃତ୍ୟୁ ସହ ଲଢ଼ୁଛନ୍ତି ଆଉ ତିନିଜଣ । କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଗାଁ ଦୟାନିଧିଙ୍କ ଘରେ ଓ ବେକେରୀରେ ନିଆଁ ଲାଗିବା ଘଟଣାରେ ନୂଆ ମୋଡ଼ । ସର୍ଟସର୍କିଟରୁ ନିଆଁ ଲାଗି ନଥିଲା ବରଂ ନିଜେ ନିଆଁ ଲଗାଇ ଦେଇଥିଲେ ପରିବାରର ମୁଖ୍ୟ ଦୟାନିଧି । ଆଉ ନିଆଁ ଲଗାଇବାର କାରଣ ହେଉଛି ଧାର କରଜ ସହ ପାରିବାରିକ କଳହ ।

ଶିକରପାଇ ଗାଁର ଦୟାନିଧି ବେହେରା । ୩ ପୁଅ, ଜଣେ ବୋହୂ ଓ ସ୍ତ୍ରୀଙ୍କୁ ନେଇ ଦୟାନିଧିଙ୍କ ୬ ପ୍ରାଣୀର ସଂସାର । ଅଭାବୀ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଏକ ବେକେରୀ ଖୋଲିଥିଲେ । ଏଥିପାଇଁ ଢ଼େର୍ ଧାର କରଜ ମଧ୍ୟ କରିଥିଲେ ଦୟାନିଧି । କାରବାର ବଢ଼ିବା ସହ ଋଣଭାର କମୁଥିଲା, ହେଲେ ପରିବାରରେ ଲାଗି ରହୁଥିଲା ଝଗଡ଼ା । ଗୁରୁବାର ଦୟାନିଧିଙ୍କ ବଡ଼ପୁଅ ସୁନୀଲ କୌଣସି କାମରେ ବାହାରକୁ ଯାଇଥିଲେ । ଏହି ସମୟରେ ମଝିଆ ପୁଅ ଅନୀଲଙ୍କ ସହ କୌଣସି କଥାକୁ ନେଇ ଦୟାନଧିଙ୍କ ଯୁକ୍ତିତର୍କ ହୋଇଥିଲା ।

Man Sets Fire In Home For Loan In Rayagada, 2 Dead
ମୃତ ଦୟାନିଧି ବେହେରା, ନିଜେ ଘରେ ଲଗାଇଥିଲେ ନିଆଁ

ଝଗଡ଼ା ଏତେ ବଢ଼ିଗଲା ଯେ ଦୟାନିଧିଙ୍କ ମୁଣ୍ଡକୁ ରାଗ ଚଢ଼ିଗଲା । ରାଗରେ ଜର୍ଜରିତ ଦୟାନିଧି ଘରର କବାଟ ବନ୍ଦ କରି ସମସ୍ତଙ୍କ ଉପରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ । ପରେ ସାହିପଡ଼ିଶା ଲୋକ ଚିତ୍କାର ଶୁଣି ଘର କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ସମସ୍ତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରିଥିଲେ ଡାକ୍ତର । ବାଟରେ ଦୟାନିଧିଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ସ୍ତ୍ରୀ ଲକ୍ଷ୍ମୀ ଆଖି ବୁଜିଛନ୍ତି ।

ଏବେ ମେଡିକାଲ୍ ବେଡରେ ମୃତ୍ୟୁ ସହ ଲଢ଼ୁଛନ୍ତି ମଝିଆ ପୁଅ ଅନୀଲ, ସାନ ପୁଅ ଶ୍ରୀକାନ୍ତ ଓ ବୋହୂ ସ୍ୱପ୍ନା ବେହେରା । ରାଗର ନିଆଁରେ ପରିବାର ଛାରଖାର୍ ହୋଇଯାଇଛି । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।