ନନ୍ଦିଘୋଷ ବ୍ୟୁରୋ: ପେଟ୍ରୋଲିୟମ ମନ୍ତ୍ରଣାଳୟ ଅନ୍ତର୍ଗତ ତୈଳ ବିଶୋଧାନାଗାର, ତୈଳଡିପୋ, ଟର୍ମିନାଲ ଏବଂ ଏଲପିଜି ବଟଲିଂ ପ୍ଲାଣ୍ଟରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ଏ ସଂକ୍ରାନ୍ତରେ ରାଜ୍ୟ ସଭାରେ ଅଣତାରକା ଚିହ୍ନିତ ପ୍ରଶ୍ନ ମାଧ୍ୟମରେ ମାନସ ମଙ୍ଗରାଜ ବିଭାଗୀୟ ମନ୍ତ୍ରୀଙ୍କୁ ଏନେଇ ପ୍ରଶ୍ନ କରିଛନ୍ତି । ବିଭାଗୀୟ ମନ୍ତ୍ରୀ ଏହାର ଉତ୍ତରରେ କହିଛନ୍ତି ଯେ, ୨୦୨୩-୨୪ରେ ରିଫାଇନାରୀ ଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରୁ ୧୬ ହଜାର ୭୧ ଜଣ ଓ ୨୦୨୪-୨୫ରେ ୨୦ ହଜାର ୧୪୪ ଜଣଙ୍କୁ ସୁରକ୍ଷା ପରିଚାଳନା ପ୍ରଶିକ୍ଷଣ ଦିଆଯାଇଛି । ସେହିଭଳି ୨୦୨୩-୨୪ରେ ଡିପୋ ଓ ଟର୍ମିନାଲର ୨ ହଜାର ୩୧୧ ଜଣ କର୍ମଚାରୀ ଓ ୨୦୨୪-୨୫ରେ ୨ ହଜାର ୪୪୧ ଜଣ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।
୨୦୨୩-୨୪ରେ ଏଲପିଜି ବଟଲିଂ ପ୍ଲାଣ୍ଟରେ ୨ ହଜାର ୫୬୩ ଜଣ କର୍ମଚାରୀ ଓ ୨୦୨୪-୨୫ରେ ୨ ହଜାର ୫୯୧ ଜଣ କର୍ମଚାରୀଙ୍କୁ ସୁରକ୍ଷା ପରିଚାଳନା ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଶ୍ରମିକ ଓ କର୍ମଚାରୀଙ୍କ ସୁରକ୍ଷା ସମ୍ପର୍କରେ କଣ ଗାଇଡ ଲାଇନ୍ ରହିଛି ଓ ସେସବୁର କାର୍ଯ୍ୟକାରୀତା ନେଇ ନିୟମିତ ଯାଞ୍ଚ ହେଉଛି କି ନାହିଁ ବୋଲି ମଧ୍ୟ ସାଂସଦ ମାନସ ମଙ୍ଗରାଜ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, ଏକ୍ସପ୍ଲୋସିଭ ଆଇନ୍ ୧୮୮୪, ଏସଏମପିଭି ଆଇନ ୨୦୧୬, ଗ୍ୟାସ ସିଲିଣ୍ଡର ଆଇନ ୨୦୧୬ , ପ୍ରଟ୍ରୋଲିୟମ ଆଇନ ୧୯୩୪ ଏବଂ ପେଟ୍ରୋଲିୟମ ନିୟମ ୨୦୧୬ କାର୍ଯ୍ୟକାରୀ କରାଯାଇଛି । ପେଟ୍ରୋଲିୟମ ଓ ପ୍ରକୃତିକ ଗ୍ୟାସ ନିୟାମକ ବୋର୍ଡ –PNGRB ଆଇନ ୨୦୦୬ ଏବଂ ଅକୁପେସନାଲ ସେପ୍ଟି ହେଲ୍ଥ ଆଣ୍ଡ ଓ୍ବାର୍କିଂ କଣ୍ଡିସନ୍ ବୋର୍ଡ ୨୦୨୦ କାର୍ଯ୍ୟକାରୀ ହୋଇଛି । ସମସ୍ତ ଆଇନ, ନିୟମ ଏବଂ ବୋର୍ଡର କାର୍ଯ୍ୟକାରୀତା ନେଇ ମଧ୍ୟ ନିୟମିତ ବ୍ୟବଧାନରେ ଯାଞ୍ଚ କରାଯାଉଛି ।

