ମଣ୍ଡି ଅବ୍ୟବସ୍ଥା: ଚାଷୀଙ୍କ ବାଇକ୍ ରାଲି, କାଲି ସମ୍ବଲପୁର ବନ୍ଦ
ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ସମ୍ବଲପୁର ବନ୍ଦ୍ । ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ସମ୍ବଲପୁର ବନ୍ଦ ପାଇଁ ଚାଷୀ ସଂଗଠନ ଡାକରା ଦେଇଥିବା ବେଳେ ଆଜି କରାଯାଇଛି ଚାଷୀଙ୍କ ବାଇକ ରାଲି l ସହର ସାରା ବାଇକ୍ ରାଲି କରି ଚାଷୀଙ୍କ ବନ୍ଦକୁ ସହରବାସୀ ସମର୍ଥନ କରନ୍ତୁ ବୋଲି ଅନୁରୋଧ କରାଯାଇଛି । ସେପଟେ ବଲାଙ୍ଗୀରରେ ପ୍ୟାକ୍ସ ନଖୋଲିବା ଯୋଗୁଁ ଚାଷୀ ମଧ୍ୟରେ ବଢିଛି ଅସନ୍ତୋଷ । ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ଅବ୍ୟବସ୍ଥା ଓ ଚାଷୀ ମାରଣାନୀତି ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି I ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ବଲାଙ୍ଗୀର ଜିଲ୍ଲାର ସମସ୍ତ ମଣ୍ଡି ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି I
ଚାଷୀଙ୍କ ସମସ୍ୟାର ନାହିଁ ଅନ୍ତ । ବାରମ୍ବାର ପ୍ରତାରଣା ଶିକାର ଚଷା ପୁଅ । ମାଳ ମାଳ ପ୍ରତିଶୃତି ମିଳୁଛି, ହେଲେ ଫଳ ଶୂନ । ମିଳୁନି ଟୋକନ, ମଣ୍ଡିରେ ଉଠିପାରୁନି ଧାନ । ବେଧଡ଼କ ଚାଲିଛି କଟନୀ ଛଟନୀ । ସରକାରଙ୍କୁ ହକ ମାଗି ମାଗି ନୟାନ୍ତ ଅନ୍ନଦାତା । ଯାହାକୁ ନେଇ ତେଜିଛି ଅସନ୍ତୋଷ । ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦେଇଛି ସମ୍ବଲପୁର କୃଷକ ସୁରକ୍ଷା ସଂଗଠନ । ଏହି ବନ୍ଦ ପାଳନକୁ ସମର୍ଥନ କରିବାକୁ ଗୁରୁବାର ଶହ ଶହ ଚାଷୀ ବାଇକ ରାଲି କରି ସହର ପରିକ୍ରମା କରିଛନ୍ତି । ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ପାଇଁ ଚାଷୀମାନେ ପୂରା ପ୍ରସ୍ତୁତ । ସକାଳ ୬ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବାକୁ ଥିବା ବନ୍ଦ୍ ପାଳନକୁ ସହରବାସୀ ସମର୍ଥନ କରିବେ ବୋଲି କହିଛନ୍ତି ଚାଷୀ ନେତା ଅଶୋକ ପ୍ରଧାନ । ଦୋକାନ ବଜାର ବନ୍ଦ ସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି କୃଷକ ସୁରକ୍ଷା ସଂଗଠନ ।
ସେପଟେ ଡିସେମ୍ବର ୫ ତାରିଖରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ପ୍ରାଥମିକ କୃଷି ସମବାୟ ସମିତିରେ ଧାନ କିଣା ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ ବଲାଙ୍ଗୀର ଜିଲ୍ଲାପାଳ I ଗୁରୁବାରଠାରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ । କିପରି ଚାଷୀ ସ୍ଵଚ୍ଛତା ସହ ଧାନ ସରକାରକୁ ବିକ୍ରି କରିବେ ସେନେଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା କହିଥିଲେ ଜିଲ୍ଲାପାଳ । ହେଲେ ଜିଲ୍ଲାରେ ଗୋଟିଏ ଦୁଇଟି ମଣ୍ଡି ଖୋଲା ଯାଇଥିବା ବେଳେ ଏବେ ବି ଅନେକ ପ୍ୟାକ୍ସରେ ତାଲା ଝୁଲୁଛି I କେବେ ପ୍ୟାକ୍ସ ଖୋଲିବ ସେନେଇ ସକାଳୁ ସଂଧ୍ୟା ଯାଏଁ ଚାତକ ପରି ଚାହିଁ ବସିଛନ୍ତି ଚାଷୀ I ଗତ କିଛିଦିନ ତଳେ ବଲାଙ୍ଗୀର ଜିଲ୍ଲା ଭାଲେର ପେକ୍ସରେ ଏଭଳି ଅବ୍ୟବସ୍ଥା ନେଇ ଚାଷୀ ଅସନ୍ତୋଷ ରହିଥିବା ବେଳେ କୁଡାସିଂହା ପ୍ୟାକ୍ସରେ ସମାନ ଅବ୍ୟବସ୍ଥା I ଚାଷୀଙ୍କଠାରୁ ଅଭିଯୋଗ ପାଇ କୁଡାସିଂହା ପ୍ୟାକ୍ସକୁ ଅଚାନକ ପରିଦର୍ଶନ କରି ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ଅବ୍ୟବସ୍ଥା ଓ ଚାଷୀ ମାରଣାନୀତି ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି I ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ବଲାଙ୍ଗୀର ଜିଲ୍ଲାର ସମସ୍ତ ମଣ୍ଡି ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି I
ଜିଲ୍ଲାର ୧ ଲକ୍ଷ ୫ ହଜାର ୩୧ ଜଣ ପଞ୍ଜୀକୃତ ଚାଷୀଙ୍କଠାରୁ ୧୮୦ଟି ପ୍ୟାକ୍ସ ମଧ୍ୟମରେ ୨, ୪୬୦୦୦ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ସରକାରଙ୍କ ଟାର୍ଗେଟ ରହିଛି I ମିଲର୍ସ ଟେଗିଂ ସହ ଏଗ୍ରିମେଣ୍ଟ ବିଳମ୍ବ ହେଉଥିବାରୁ ଯୋଗାଣ ବିଭାଗ ଟାର୍ଗେଟ ବାଣ୍ଟିବାରେ ବିଳମ୍ବ ହୋଇଥିବା ମୁଖ୍ୟ ଯୋଗାଣ ଅଧିକାରୀ କହିଛନ୍ତି I

