ବଢ଼ିଲା ମଣିପୁର ଟେନସନ୍, ସେନାର ଫ୍ଲାଗମାର୍ଚ୍ଚ ଓ ଇଣ୍ଟରନେଟ ସେବା ରଦ୍ଦ

ଇମ୍ଫାଲ: ବଢିଲା ମଣିପୁର ଟେନସନ୍ । ରାଜ୍ୟର ବିଭିନ୍ନ ସ୍ଥାନରେ ସେନା କରିଛି ଫ୍ଲାଗମାର୍ଚ୍ଚ । ରାଜ୍ୟର ୮ଟି ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଥିବାବେଳେ ଇମ୍ଫାଲ, ଚୁରାଚାନ୍ଦପୁର ଓ କାଙ୍ଗପୋକପିରେ ସ୍ଥିତି ଅତି ଉତ୍ତେଜନାପ୍ରବଣ ରହିଛି । ସାରା ରାଜ୍ୟରେ ଇଣ୍ଟରନେଟ ସେବାକୁ ରଦ୍ଦ କରାଯାଇଛି । ହିଂସା ରୋକିବା ଲାଗି ଆର୍ମି ଓ ଆସାମ ରାଇଫଲ ଯବାନଙ୍କୁ ମୁତୟନ କରାଯାଇଛି । ତେଣେ ଇମ୍ଫାଲରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ । ବାୟୁସେନାର ସ୍ବତନ୍ତ୍ର ବିମାନରେ ସେମାନେ ପହଞ୍ଚିଛନ୍ତି । ତେଣେ ଦିଲ୍ଲୀରେ ମଣିପୁରୀ ଆଦିବାସୀ କରିଛନ୍ତି ବିକ୍ଷୋଭ । ସେନା ଶିବିରରେ ପ୍ରାୟ ୪ ହଜାର ବିପନ୍ନଙ୍କୁ ଆଶ୍ରୟ ଦିଆଯାଇଛି । ଅଣ ଆଦିବାସୀ ସମ୍ପ୍ରଦାୟ କୁହାଯାଉଥିବା ମେଇତି ସମ୍ପ୍ରଦାୟ ପକ୍ଷରୁ ଆଦିବାସୀ ମାନ୍ୟତା ଦାବି କରାଯିବା ପରେ ତାତିଛି ମଣିପୁରର ନିଖିଳ ଆଦିବାସୀ ଛାତ୍ର ସଂଘ ବା ଏଟିଏସୟୁଏମ । ମଣିପୁରର ମୋଟ ଜନସଂଖ୍ୟାର ୫୩ ପ୍ରତିଶତ ହେଉଛନ୍ତି ମେଇତି ସମ୍ପ୍ରଦାୟ । ମାତ୍ର ସେମାନେ ରାଜ୍ୟର ମୋଟ ୧୦ ପ୍ରତିଶତ ଅଞ୍ଚଳରେ ସୀମାବଦ୍ଧ ରହିଛନ୍ତି । ବେଆଇନ ମିଆଁମାର ଓ ବାଂଲାଦେଶୀ ନାଗରିକଙ୍କ ଅନୁପ୍ରବେଶକୁ ବି ବିରୋଧ କରୁଛନ୍ତି ମେଇତି ସମ୍ପ୍ରଦାୟ ।

ବର୍ତ୍ତମାନର ନିୟମ ଅନୁସାରେ ରାଜ୍ୟର ପାର୍ବତ୍ୟାଞ୍ଚଳରେ ବସବାସ ଲାଗି ମେଇତିମାନଙ୍କୁ ଅନୁମତି ଦିଆଯାଇନାହିଁ । ତେବେ ରାଜ୍ୟର ୯୦ ପ୍ରତିଶତ ଅଞ୍ଚଳରେ ଆଦିବାସୀମାନେ ବସବାସ କରୁଥିବାବେଳେ ମେଇତିମାନେ ୬୦ ଆସନ ବିଶିଷ୍ଟ ବିଧାନସଭାରେ ଦୁଇ ତୃତୀୟାଂଶ ଆସନ ହାସଲ କରିଛନ୍ତି । ରାଜ୍ୟରେ ଆଦିବାସୀଙ୍କ ସ୍ବାର୍ଥ ରକ୍ଷା ଲାଗି ଜୋରସୋରରେ ଲଢେଇ କରୁଛନ୍ତି ନାଗା, ଜୋମି ଓ କୁକି ସମ୍ପ୍ରଦାୟ । ଗତ ବୁଧବାର ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂଙ୍କ ଏକ ସଭାସ୍ଥଳକୁ ଏହି କାରଣରୁ ଭାଙ୍ଗିଦେଇଥିଲେ ଉତ୍ତ୍ୟକ୍ତ ଜନତା । ଏସଟି ତାଲିକାରେ ମେଇତିମାନଙ୍କୁ ସାମିଲ କରିବା ସକାଶେ ଚିନ୍ତା କରିବା ଲାଗି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଗତମାସରେ ନିର୍ଦ୍ଦେଶ ଦେଇଥିଲେ ।