ଦିନକୁ ଦିନ ଉଗ୍ର ହେଉଛି ମଣିପୁର ହିଂସା, ଭିଡିଓ ଜାରି କରି ସେନାର ଶାନ୍ତି ପ୍ରତିଷ୍ଠା ଅପିଲ

ଇମ୍ଫାଲ: ଲିଭୁନି ମଣିପୁର ନିଆଁ । ମେ’ ୩ ତାରିଖରୁ ଆରମ୍ଭ ହୋଇଥିବା ସଂଘର୍ଷ ଦିନକୁ ଦିନ ଉଗ୍ର ହେଉଛି । ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକଙ୍କ ଘର ଜଳାଇ ଦିଆଯାଇଛି । ମଣିପୁରରେ ଦୀର୍ଘମାସ ଧରି ଜାରି ରହିଥିବା ହିଂସା ଯୋଗୁ ଲୋକଙ୍କ ପଳାୟନ ମଧ୍ୟ ଆରମ୍ଭ ହୋଇଯାଇଛି । ଆଖି ଆଗରେ ସର୍ବସ୍ବ ଧ୍ବଂସ ହୋଇଯିବା ପରେ, ଆତ୍ମୀୟଙ୍କୁ ହରାଇବା ପରେ ଅନ୍ୟ ରାଜ୍ୟରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି ।

ସେପଟେ ପୂର୍ବୋତ୍ତର ରାଜ୍ୟରେ ଶାନ୍ତି ସ୍ଥାପନା ପାଇଁ ସେନା ପକ୍ଷରୁ ଭିଡିଓ ଜାରି କରାଯାଇ ଅପିଲ କରାଯାଇଛି । ହିଂସା ଗ୍ରସ୍ତ ରାଜ୍ୟରେ ଶାନ୍ତି ଓ ସାମାନ୍ୟ ସ୍ଥିତି ଫେରାଇ ଆଣିବାକୁ ସ୍ଥାନୀୟ ଲୋକଙ୍କ ସମର୍ଥନ ଲୋଡିଛି ଆର୍ମି । ମହିଳା କର୍ମକର୍ତ୍ତାମାନେ ଜାଣିଶୁଣି ରାସ୍ତା ଅବରୋଧ କରିବା ସହ ସୁରକ୍ଷାବଳର ଅପରେସନରେ ବାଧା ସୃଷ୍ଟି କରୁଛନ୍ତି । ଧନ ଜୀବନର ରକ୍ଷା ପାଇଁ ସବୁ ବର୍ଗର ଲୋକ ସେନାକୁ ସହଯୋଗ କରିବାକୁ ଅପିଲ କରାଯାଇଛି ।