ଦିନରେ ପାଠ ପଢୁଥିଲେ, ସନ୍ଧ୍ୟାରେ ବାସନ ମାଜୁଥିଲେ… ଜଣେ ରିକ୍ସା ଚାଳକ ଝିଅ ସାଜିଲେ ମିସ୍ ଇଣ୍ଡିଆ ରନର୍ସ ଅପ୍

1 min read

Femina Miss India 2020: ଭାରତକୁ ମିଳିଲା ନୂଆ ମିସ ଇଣ୍ଡିଆ । ୨୩ ବର୍ଷୀୟା ମାନସା ବାରଣାସୀ ହାସଲ କରିଛନ୍ତି ଫେମିନା ମିସ ଇଣ୍ଡିଆ ୨୦୨୦ର ଟାଇଟଲ । ଖୁବ କମ ବୟସରେ ଏହି ବଡ଼ ସଫଳତା ହାସଲ କରିଛନ୍ତି ମାନସା । ଫେମିନା ମିସ୍ ଇଣ୍ଡିଆର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଟପ୍ ୩ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ମାନସା ବାରଣାସୀ ମିସ ଇଣ୍ଡିଆର ତାଜ ପିନ୍ଧିଥିବାବେଳେ, ମାନ୍ୟା ସିଂହ ଫାଷ୍ଟ ରନର୍ସଅଫ୍ ଏବଂ ମାଣିକା ଶିଓକାନ୍ଦ ଥାର୍ଡ ରନର୍ସଅଫ୍ ର ସ୍ଥାନ ପାଇଛନ୍ତି ।

ମିସ ଇଣ୍ଡିଆ ୨୦୨୦ ଟାଇଟଲ ହାସଲ କରିଥିବା ମାନସା ବାରଣାସୀ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । କିନ୍ତୁ ଏହି ପ୍ରତିଯୋଗିତାରରେ ଫାଷ୍ଟ ରନର୍ସଅଫ ହୋଇଥିବା ମାନ୍ୟା ସିଂହଙ୍କ କାହାଣୀ ପ୍ରତ୍ୟେକଙ୍କୁ ପ୍ରେରଣା ପ୍ରଦାନ କରୁଛି ।

ସ୍ୱପ୍ନକୁ ଶାକାର କରିବାର ଏକମାତ୍ର ଉପାୟ ହେଉଛି ନିଜ ଲକ୍ଷ୍ୟକୁ ହାସଲ କରିବା ପାଇଁ କଠିନ ପରିଶ୍ରମ । ନିଷ୍ଠା ଓ ବିଶ୍ୱାସ ସହିତ ସଂଘର୍ଷ ହିଁ ଆପଣଙ୍କୁ ସଫଳତାର ଶିଖରକୁ ପହଞ୍ଚାଇଥାଏ । ଏହି ଉକ୍ତିକୁ ପ୍ରମାଣ କରିଛନ୍ତି ଉତ୍ତର ପ୍ରଦେଶର ମାନ୍ୟା ସିଂହ । ଜଣେ ରିକ୍ସା ଡ୍ରାଇଭରର ଝିଅ ମାନ୍ୟା ନିଜ ଅଦମ୍ୟ ଚେଷ୍ଟାରେ ହାସଲ କରିଛନ୍ତି ଫେମିନା ମିସ ଇଣ୍ଡିଆ ୨୦୨୦ର ଫାଷ୍ଟ ରନର୍ସ ଅପ୍ ଟାଇଟଲ ।

ମିସ୍ ଇଣ୍ଡିଆରେ ମାନ୍ୟା ସିଂହଙ୍କ ଯାତ୍ରା ଏତେଟା ସହଜ ନଥିଲା । ଖୋଦ ମାନ୍ୟା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି ଜଣେ ରିକ୍ସା ଚାଳକ ଝିଅର ମିସ ଇଣ୍ଡିଆ ଷ୍ଟେଜ୍ ପର୍ଯ୍ୟନ୍ତ ଥିବା ସଂଘର୍ଷର କାହଣୀ ।

ମାତ୍ର ୧୪ ବର୍ଷ ବୟସରେ ଘରଛାଡ଼ି ଚାଲିଯାଇଥିଲେ ମାନ୍ୟା । ଯେନତେନ ପ୍ରକାରେ ନିଜ ଶିକ୍ଷା ସମାପ୍ତ କରିଥିଲେ । ପାଖରେ ଟଙ୍କା ନଥିବାରୁ ମାନ୍ୟା ସକାଳେ ପାଠ ପଢ଼ି ସନ୍ଧ୍ୟାରେ ବାସନ ମାଜିବା କାମ କରୁଥିଲେ ଏବଂ ରାତିରେ ଏକ କଲ୍ ସେଣ୍ଟରରେ କାମ କରୁଥିଲେ । ବସ, ଅଟୋ ଭଡ଼ା ଟଙ୍କା ବଞ୍ଚାଇବା ପାଇଁ ମାଇଲ ମାଇଲ ରାସ୍ତା ଚାଲି ଯିବା ଆସିବା କରୁଥିଲେ । ଏମିତିକି ଅନେକ ରାତି ସେ ନଖାଇ ନପିଇ ରାତିରେ ଶୋଇଥିବା ସେ କହିଛନ୍ତି ।

ଡିଗ୍ରୀ ହାସଲ କରିବା ପାଇଁ ମାନ୍ୟାଙ୍କ ପାଖରେ ଆବଶ୍ୟକ ଟଙ୍କା ନଥିଲା । ତେଣୁ ଗହଣା ବନ୍ଧା ପକାଇ ବାପାମାଆ ତାଙ୍କ ଡିଗ୍ରୀ ପରୀକ୍ଷା ପାଇଁ ଫିସ୍ ଦେଇଥିବା ମାନ୍ୟା କହିଛନ୍ତି । ମାନ୍ୟାଙ୍କ ସଂଘର୍ଷମୟ ଜୀବନରେ ମାଆଙ୍କ ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ମିସ୍ ଇଣ୍ଡିଆ ପ୍ରତିଯୋଗିତା ପାଇଁ ଟଙ୍କା ନଥିବାରୁ ନିଜ ଡ୍ରେସ ନିଜେ ସିଲେଇ କରିଥିଲେ ମାନ୍ୟା ।

ମିସ ଇଣ୍ଡିଆର ମଞ୍ଚ ଉପରେ ଠିଆ ହୋଇ ନିଜ ପରିବାରବର୍ଗଙ୍କୁ ଧନ୍ୟବାଦ ଦେଇଛନ୍ତି ମାନ୍ୟା । ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଆପଣ ଯଦି ପ୍ରତିଜ୍ଞାବଦ୍ଧ ତେବେ କୌଣସି ବାଧାବିଘ୍ନ ଆପଣଙ୍କୁ ଅଟକାଇପାରିବ ନାହିଁ ବୋଲି ସେ କହିଛନ୍ତି ।

Leave a Reply