ଶାଢ଼ୀ ପିନ୍ଧି ମାରାଥନ ଦୌଡ଼ିଲେ ୫ ହଜାର ମହିଳା

ଭୁବନେଶ୍ବର: ଟ୍ରାକ ସୁଟ ନୁହେଁ, ପାଟ ଶାଢ଼ୀ ପିନ୍ଧି ମାରାଥନରେ ଦୌଡ଼ିଲେ ମହିଳା । ଶହେ କି ଦୁଇ ଶହ ନୁହେଁ, ୫ ହଜାର ମହିଳା ପାଟ ଶାଢ଼ୀ ପିନ୍ଧି ଏକକାଳୀନ ଲଗାଇଲେ ଦୌଡ଼ । ମହିଳା ସଶକ୍ତିକରଣ ଓ ଶିକ୍ଷା ଲକ୍ଷ୍ୟରେ ପାଟଥନ ଆୟୋଜନ କରିଛି କିଟ୍ । ଏଥିରେ କିଟ୍ ଓ କିସର ୫ ହଜାର ମହିଳା କର୍ମଚାରୀ ଦୌଡ଼ରେ ସାମିଲ ହୋଇଥିଲେ ।

ଶିଖରଚଣ୍ଡୀ ମନ୍ଦିର ଛକରୁ କିଟ୍ କ୍ରିକେଟ ଷ୍ଟାଡିୟମ ପର୍ଯ୍ୟନ୍ତ ମହିଳାମାନେ ଦୌଡ଼ିଥିଲେ । ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୋତ୍ସାହନରେ ପ୍ରତିବର୍ଷ ଓଡ଼ିଶାର ସମସ୍ତ ଜିଲ୍ଲା ତଥା ଭାରତର ବିଭିନ୍ନ ସହରରେ ସମସ୍ତଙ୍କ ପାଇଁ ଶିକ୍ଷା ଲକ୍ଷ୍ୟରେ ମାରାଥନ ଆୟୋଜନ କରାଯାଇଥାଏ । ଚଳିତବର୍ଷ ମଧ୍ୟ ଓଡ଼ିଶାର ୫୫ଟି ସ୍ଥାନରେ ଏହି ମାରାଥନ ଆୟୋଜନ ହୋଇଛି । ଭୁବନେଶ୍ୱରରେ ସ୍ବତନ୍ତ୍ର ଭାବେ ନିଆରା ଢଙ୍ଗରେ ପାଟଥନ ଆୟୋଜନ କରାଯାଇଛି ।‌