ଖୋଲିବ ମାରୁୱାନା ଚାଲାଣର ଗୁମର; ପ୍ରେମୀ ଯୁଗଳଙ୍କୁ ରିମାଣ୍ଡରେ ଆଣିବ ଏସଟିଏଫ୍
1 min read
ନନ୍ଦିଘୋଷ ବ୍ୟୁରୋ : ଦୁବାଇରେ ହୋଇଥିଲା ଡିଲ, ଆଉ ଥାଇଲାଣ୍ଡରେ ଦଲାଲ୍ । ଓଡିଶାରେ କିଏ ଖାଉଚି ନା ଓଡିଶା ସାଜିଛି ଏହି ସିଣ୍ଡିକେଟର ପେଣ୍ଠସ୍ଥଳୀ । ଗତକାଲି ଭୁବନେଶ୍ୱର ବିମାନବନ୍ଦରରୁ ପ୍ରାୟ ୪ କୋଟି ଟଙ୍କାର ମାରୁୱାନା ଜବତ ପରେ ହୋଇଛି ବଡ ଖୁଲାସା । ତାକୁ ନେଇ ଏସଟିଏଫ ଆରମ୍ଭ କରିଛି ଜୋରଦାର ତନାଘନା । ଚାଲାଣ କରୁଥିବା ଯୁବତୀ ଆରତି ଶର୍ମା ଓ ତାଙ୍କ ପୁରୁଷ ବନ୍ଧୁ କରନଙ୍କୁ ରିମାଣ୍ଡରେ ଆଣିବ କଷ୍ଟମ ଓ DRI । ବ୍ୟାଙ୍କକରୁ ଭୁବନେଶ୍ୱର ଆସିଲା ବେଳେ ଦୁଇଜଣଙ୍କୁ ଧରିଥିଲା କଷ୍ଟମ ବିଭାଗ । ପଚରା ଉଚରାବେଳେ ଦୁହିଙ୍କ ଠାରୁ ମିଳିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ବ୍ୟାଙ୍କକରୁ ଭୁବନେଶ୍ୱର ଦେଇ ଭାୟା ବସରେ ବୋଙ୍ଗାଳୁରୁକୁ ନେବାର ଥିଲା ପ୍ଲାନ । ତେବେ ଏହି ଚାଲାଣ ପଛରେ ମୁଖ୍ୟ ମାଷ୍ଟରମାଇଣ୍ଡ ଦୁବାଇରେ ଥିବା ଜଣାପଡ଼ିଛି । ପଞ୍ଜାବର ଜଣେ ଦଲାଲ ସାଇମନ୍ ପିଟର ଥାଇଲାଣ୍ଡରେ ବସି ଭାରତକୁ ମାଲ୍ ପଠାଉଥିଲା । ଏଜେଣ୍ଟ ମାନଙ୍କୁ କାମ ପୁର୍ବରୁ ୬୦ ଲକ୍ଷ ଅଗ୍ରିମ, ଫ୍ଲାଇଟ ଟିକେଟ ସହିତ ହୋଟେଲ ରହଣି ବି ମାଗଣାରେ ଯୋଗାଇ ଦେଉଥିଲା । ଏହି ଡ୍ରଗ୍ସ ସିଣ୍ଡିକେଟ୍ ର ବ୍ୟାପକ ଲିଙ୍କ୍ ଖୋଜିବା ପାଇଁ ଉଭୟଙ୍କୁ ରିମାଣ୍ଡରେ ଆଣିବ ଏସଟିଏଫ । ସେପଟେ ନିଶା କାରବାର ପାଇଁ ଏବେ ଭୁବନେଶ୍ବର ବିମାନ ବନ୍ଦର ସୁରକ୍ଷିତ ରାସ୍ତା ପାଲଟିଛି ବୋଲି କହିଛନ୍ତି ଆଇନଜୀବୀ ।