ନନ୍ଦିଘୋଷ ବ୍ୟୁରୋ: ଜଳୁଛି ବାଂଲାଦେଶ। ପୂର୍ବତନ ମନ୍ତ୍ରୀ ଉସମାନ ହାଦିଙ୍କ ହତ୍ୟା ପରେ ରାଜଧାନୀ ଢାକାରେ ହିଂସାକଣ୍ଡ ଜାରି ରହିଛି। ଗତକାଲି ଢାକାରେ ଥିବା ଦୁଇ ପ୍ରମୁଖ ସମ୍ବାଦପତ୍ର କାର୍ଯ୍ୟାଳୟକୁ ଜାଳି ଦେଇଥିଲେ ଆନ୍ଦୋଳନକାରୀ । ପ୍ରଥମ ଆଲୋ ଖବରକାଗଜ ଏବଂ ଡେଲି ଷ୍ଟାର ନାମକ ଦୁଇ ପ୍ରମୁଖ ସମ୍ବାଦପତ୍ର କାର୍ଯ୍ୟାଳୟର କୋଠାରେ ହମଲା କରିଥିଲେ ଆନ୍ଦୋଳନକାରୀ। ଭଙ୍ଗାରୁଜା ସହ ନିଆଁ ଲଗାଇ ଦେଇଥିଲେ । ଆନ୍ଦୋଳନକାରୀମାନେ ଭାରତ ବିରୋଧୀ ଓ ଶେଖ ହସିନା ବିରୋଧୀ ପ୍ଲାକାର୍ଡ ଧରି ଆନ୍ଦୋଳନ କରିଛନ୍ତି । ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ଘରକୁ ବି ଭାଙ୍ଗି ଦେଇଛନ୍ତି ଆନ୍ଦୋଳନକାରୀ । ସେପଟେ ଚଟ୍ଟଗାଁଓରେ ଥିବା ଭାରତୀୟ ସହକାରୀ ହାଇକମିଶନର କାର୍ଯ୍ୟାଳୟ ଉପରକୁ ଆନ୍ଦୋଳନକାରୀ ପଥରମାଡ଼ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧୀ ନେତା ହେଉଛନ୍ତି ଉସମାନ ହାଦି
ରାଜଧାନୀ ଢାକାରେ ଯୁବନେତା ଉସମାନ ହାଦିଙ୍କୁ ଗୁଳିମାଡ଼ ହୋଇଥିଲା । ଗତ ସପ୍ତାହରେ ଗୁଳିବିଦ୍ଧ ହୋଇଥିବା ଉସମାନ ହାଦି ଛଅ ଦିନ ଧରି ଜୀବନ ସହିତ ସଂଘର୍ଷ କରିବା ପରେ ଗୁରୁବାର ସିଙ୍ଗାପୁରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଏହାକୁ ନେଇ ତାତିଛନ୍ତି ଆନ୍ଦୋଳନକାରୀ । ଏବେ ଉସମାନ ହାଦୀଙ୍କ ମରଶରୀର ଆସି ବାଂଲାଦେଶରେ ପହଞ୍ଚିଛି । ଗତବର୍ଷ ବାଂଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ହିଂସାତ୍ମକ ଆନ୍ଦୋଳନ ଆରମ୍ଭ କରିଥିଲେ ବିରୋଧୀ ଦଳ ନେତା ଉସମାନ ହାଦି । ଏବେ ବି ବାଂଲାଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ବଡ଼ ଧରଣର ହିଂସାତ୍ମକ ପ୍ରତିବାଦ ପ୍ରଦର୍ଶନ କରାଯାଉଛି ।
ସେପଟେ ପୂର୍ବତନ ବିଆରକେ ମନ୍ତ୍ରୀ ମୋହିବୁଲ ହାସନ ଚୌଧୁରୀ ଦାବି କରିଛନ୍ତି ଯେ ହାଦିଙ୍କୁ ତାଙ୍କ ନିକଟତର କେହି ଗୁଳି କରିଥିଲେ। ଗୁଳି ଚଳାଇଥିବା ବ୍ୟକ୍ତି ହାଦୀଙ୍କ ନିଜ ସଶସ୍ତ୍ର ଗ୍ୟାଙ୍ଗର ସଦସ୍ୟ।ଏହି ହିଂସା ପଛରେ ୟୁନୁସ ସରକାରଙ୍କ ଦୁଇଟି ପ୍ରମୁଖ ଉଦ୍ଦେଶ୍ୟ ରହିଛି । ପ୍ରଥମତଃ ଏହା ଫେବୃଆରୀ ୧୨ ନିର୍ବାଚନକୁ ସ୍ଥଗିତ ରଖିବାକୁ ଚାହୁଁଛି । ଦ୍ୱିତୀୟତଃ ଏହା ବାଂଲାଦେଶରେ ସକ୍ରିୟ ଥିବା ଶେଖ ହସିନାଙ୍କ ଦଳ ଆୱାମୀ ଲିଗର କର୍ମୀମାନଙ୍କୁ ନିପାତ କରିବାକୁ ଚାହୁଁଛି ।

