ମାଟ୍ରିକ ପ୍ରଶ୍ନପତ୍ର ଲିକ୍ କି ଭାଇରାଲ ହେଲେ ପ୍ରଧାନଶିକ୍ଷକ ଦାୟୀ ରହିବେ

1 min read

କଟକ: ମାଟ୍ରିକ ପ୍ରଶ୍ନପତ୍ର ଲିକ୍ କି ଭାଇରାଲ ହେଲେ ଏଥିପାଇଁ ସଂପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ହିଁ ଦାୟୀ ରହିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଧାନ ଶିକ୍ଷକଙ୍କ ପଞ୍ଚମ ବ୍ଲକ ସ୍ତରୀୟ ମାସିକ ଆଲୋଚନା କାର୍ଯ୍ୟକ୍ରମରେ ଏନେଇ ଅବଗତ କରାଯାଇଛି । ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ପ୍ରଶ୍ନପତ୍ର ଲିକ୍ ହେଲେ ପ୍ରଧାନଶିକ୍ଷକ ଦାୟୀ ରହିବା ସହ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପରୀକ୍ଷା ଚାଲିଥିବା ସମୟରେ ପରିଚାଳକଙ୍କ ବ୍ଯତୀତ ଅନ୍ଯ କେହି ମୋବାଇଲ ନେଇଯାଇପାରିବେ ନାହିଁ । ପ୍ରଶ୍ନପତ୍ର ଥିବା ଆଲମାରିର ଚାବିକାଠି ଦିଆଯିବା ପୂର୍ବରୁ ସଂପୃକ୍ତ ଅଧିକାରୀଙ୍କ ପରିଚୟ ବାବଦରେ ପରିଚାଳକ ଭଲଭାବେ ଅବଗତ ହେବେ।

ଅଚିହ୍ନା ବ୍ୟକ୍ତିକୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ପରୀକ୍ଷାରେ କପି ରୋକିବା ଓ ଶତ ପ୍ରତିଶତ ଉପସ୍ଥାନ ଉପରେ ଗୁରୁତ୍ବ ଦିଆଯାଇଛି। ପରୀକ୍ଷା କେନ୍ଦ୍ରରେ ୧୨ରୁ ୨୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ନିରୀକ୍ଷକ, ୪୮ରୁ ୯୬ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ରିଲିଭିଂ ନିରୀକ୍ଷକ ଓ ୨୪ରୁ ୨୮ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ଭ୍ରାମ୍ୟମାଣ ନିରୀକ୍ଷକ ରହିବେ। ନିରୀକ୍ଷକ ପ୍ରଶ୍ନପତ୍ର ବାଣ୍ଟିବେ, ରିଲିଭିଂ ପରୀକ୍ଷକ ମୂଳ ନିରୀକ୍ଷକଙ୍କ ଅନୁପସ୍ଥିତିରେ ଦାୟିତ୍ଵ ତୁଲାଇବେ, ଭ୍ରାମ୍ୟମାଣ ନିରୀକ୍ଷକ ପରୀକ୍ଷା କେନ୍ଦ୍ର ବାହାର ସ୍ଥିତି ଉପରେ ନଜର ରଖିବେ । ସକାଳ ୭ଟା ସକାଳ ୭ଟା ୩୦ରେ ପରୀକ୍ଷା କେନ୍ଦ୍ର ଖୋଲିବ । ୮ଟା ୩୦ରେ ଓଏମ୍ଆର ସିଟ୍, ୮ଟା ୪୫ରେ ପ୍ରଶ୍ନ-ଉତ୍ତର ପୁସ୍ତିକା ବଣ୍ଟନ କରାଯିବ । ଅନୁପସ୍ଥିତଙ୍କ ତାଲିକା ଓ ଅନୁପସ୍ଥିତ ରହିବାର କାରଣ ପ୍ରଧାନ ଶିକ୍ଷକମାନେ ଦର୍ଶାଇବେ ।  ଶିକ୍ଷକ-ଶିକ୍ଷୟିତ୍ରୀ ନିୟମିତ ଭାବେ ଅନୁପସ୍ଥିତ ରହୁଥିବା ଥିବା ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ବୁଝାଇବେ ।