ପୁଣି ଫୁଟିଲା ବନ୍ଧୁକ, ଗୁଳିକାଣ୍ଡ ଘଟାଇ ଦୁର୍ବୃତ୍ତ ଫେରାର

ନନ୍ଦିଘୋଷ ବ୍ୟୁରୋ : ପୁଣି ଫୁଟିଲା ବନ୍ଧୁକ। ଗୁଳିକାଣ୍ଡ ଘଟାଇ ଦୁର୍ବୃତ୍ତ ଫେରାର। ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ମାଙ୍କଡାପାଳ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ସଞ୍ଜୟ ନାୟକ। ଗତକାଲି ରାତିରେ ଘଟିଛି ଗୁଳିକାଣ୍ଡ। ଯୁବକଙ୍କ ପେଟରେ ଗୁଳି ବାଜି ଏପଟ ସେପଟ ହୋଇଯାଇଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ ବଡସାହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବାରିପଦା ପିଆରଏମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ସଞ୍ଜୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସଞ୍ଜୟ ଏକ ଘରୋଇ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟ କରିନ୍ତି। ଗତକାଲି ଟ୍ୟୁସନ୍ ସାରି ଫେରିବା ବାଟରେ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ଅଭିଯୋଗ କରିଛନ୍ତି ସଞ୍ଜୟଙ୍କ ପତ୍ନୀ।