ମିଲର ଦାମ୍ ୫ ହଜାର ଟଙ୍କା: ପାର୍ଲାମେଣ୍ଟ ଏଷ୍ଟିମେଟ କମିଟି ବୈଠକରେ ଖାନାପିନାକୁ ନେଇ ବିବାଦ

ମୁମ୍ବାଇ: ମୁମ୍ବାଇରେ ଆୟୋଜିତ ପାର୍ଲାମେଣ୍ଟ ଏଷ୍ଟିମେଟ କମିଟି ବୈଠକରେ ଖାନାପିନାକୁ ନେଇ ବିବାଦ । ବୈଠକରେ ଉପସ୍ଥିତ ଥିବା ସଦସ୍ୟଙ୍କ ଲାଗି ଲାଭିସ୍ ପାର୍ଟି ଆୟୋଜିତ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବିଜେପି, ଏନସିପି, ଶିବସେନା ମେଣ୍ଟ ସରକାର ଉପରେ କଂଗ୍ରେସ ଓ ସାମାଜିକ କର୍ମୀ ପ୍ରଶ୍ନ ଉଠାଇଛନ୍ତି । ମୁମ୍ବାଇର ବିଧାନ ଭବନ ପରିସରରେ ଆୟୋଜିତ ଏହି ଦୁଇ ଦିନିଆ ବୈଠକରେ ଯୋଗଦେଇଥିଲେ ୬୦୦ ଅତିଥି । ଏହାକୁ ଉଦଘାଟନ କରିଥିଲେ ଲୋକସଭା ବାଚସ୍ପତି ଓମ୍ ବିରଲା । ତେବେ ଅତିଥିମାନଙ୍କୁ ଯେଉଁ ମିଲ୍ ଦିଆଯାଇଥିଲା ତାହାର ଦାମ୍ ଥିଲା ୫ ହଜାର ଟଙ୍କା । ଏପରିକି ସିଲଭର ପ୍ଲେଟଗୁଡିକର ଭଡ଼ା ଗୋଟା ପିଛା ୫୫୦ ଟଙ୍କା ଥିଲା ବୋଲି ଅଭିଯୋଗ ହୋଇଛି । ମହାରାଷ୍ଟ୍ରରେ ଆର୍ଥିକ ସଙ୍କଟ ଜାରି ରହିଥିବାବେଳେ ଏହି ବ୍ୟୟବହୁଳ କାର୍ଯ୍ୟକ୍ରମ କାହିଁକି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ବିଜୟ ଓ୍ବାଦେତିଓ୍ବାର । ଚାଷୀମାନଙ୍କୁ ଋଣ ଛାଡ଼ କରାଯାଉ ନଥିବାବେଳେ ଅତିଥିଙ୍କ ଲାଗି ଏତେ ବ୍ୟୟବହୁଳ ମିଲ୍ କଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ବୈଠକକୁ ନେଇ ମହାରାଷ୍ଟ୍ର କଂଗ୍ରେସ ସଭାପତି ହର୍ଷବର୍ଦ୍ଧନ ସପକାଲ ବି ସମାଲୋଚନା କରିଛନ୍ତି ।

ସେହିପରି ଏହି ବୈଠକରେ ୬୦୦ ଅତିଥିଙ୍କ ଲାଗି ୨୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି କହିଛନ୍ତି ସାମାଜିକ କର୍ମୀ କୁମ୍ଭର । ୪୦ ଫୁଟର ବ୍ୟାନର ମରାଯିବା ସହ ଅତିଥିମାନେ ତାଜ ପ୍ୟାଲେସ ଓ ଟ୍ରାଇଡେଣ୍ଟର ରହିବାକୁ ନେଇ ପ୍ରଶ୍ନ କରିଛନ୍ତି । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରି କୁହାଯାଇଛି ପ୍ଲେଟଗୁଡିକ ରୁପାର ଥାଳି ନଥିଲା ବରଂ ରୁପାର କୋଟିଂ କରାଯାଇଥିଲା । ମିଲ ପିଛା ଖର୍ଚ୍ଚ ହୋଇଥିଲା ୪ ହଜାର ଟଙ୍କା । ଏହି ବୈଠକରେ ସଂସଦର ପ୍ରତିନିଧି, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଲର ବିଧାୟକ ପ୍ରତିନିଧି ଯୋଗଦେଇଥିଲେ । ଏନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଶିବସେନା ୟୁବିଟି ସାଂସଦ ସଞ୍ଜୟ ରାଓ୍ବତ । ବିଭିନ୍ନ ବିଭାଗ ଲାଗି ପ୍ରଦତ୍ତ ବଜେଟ ଓ ସେହି ପାଣ୍ଠିର ଖର୍ଚ୍ଚ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା । ଗତ ମାସରେ ରାଜ୍ୟ ଏଷ୍ଟିମେଟ କମିଟି ସଦସ୍ୟମାନଙ୍କ ଗସ୍ତ ପୂର୍ବରୁ ଧୁଲେ ଜିଲ୍ଲାର ଏକ ସରକାରୀ ଗେଷ୍ଟ ହାଉସରୁ ବିପୁଳ ଅର୍ଥ ଜବତ ଘଟଣା ଚର୍ଚ୍ଚାର କାରଣ ପାଲଟିଥିଲା ।