ପିଆଜର ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ ପଦକ୍ଷେପ, ରପ୍ତାନି ଟିକସକୁ ୪୦ ପ୍ରତିଶତକୁ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପିଆଜର ଦରବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ପିଆଜ ଉପରେ ରପ୍ତାନି ଟିକସକୁ ୪୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହାକୁ ତତ୍କାଳ କାର୍ଯ୍ୟକାରୀ କରିବା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ବର୍ଦ୍ଧିତ ରପ୍ତାନି ଟିକସ ଡିସେମ୍ବର ୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ସେପ୍ଟେମ୍ବର ମାସରେ ପିଆଜ ଦର ବଢ଼ିବାର ସମ୍ଭାବନା ଥିବା ନେଇ ରିପୋର୍ଟ ଆସିବା ପରେ ସରକାର ଏହାର ରପ୍ତାନି ଉପରେ ରୋକ ଲଗାଇବା ପାଇଁ ଏଭଳି ଏକ ପଦକ୍ଷେପ ନେଇଛନ୍ତି । କାରଣ ଟିକସ ବଢ଼ିଲେ ରପ୍ତାନି କମିବ । ଆଉ ଦେଶରେ ଲୋକଙ୍କୁ ପର୍ଯ୍ୟାପ୍ତ ପିଆଜ ମିଳିବ ।

ପିଆଜ ଦରରେ ବୃଦ୍ଧି ହେଲାଣି । ଅଗଷ୍ଟ ୧୦ ତାରିଖ ସୁଦ୍ଧା ସାରା ଦେଶରେ ଖୁଚୁରା ମୂଲ୍ୟ କେଜି ପ୍ରତି ୨୭ ଟଙ୍କା ୯୦ ପଇସା ରହିଥିଲା । ଏହି ଅବଧି ମଧ୍ୟରେ ଗତ ବର୍ଷ ପିଆଜର ଖୁଚୁରା ମୂଲ୍ୟ ସାରା ଦେଶରେ ୨୫ ଟଙ୍କା ୯୦ ପଇସା ଥିଲା । ଅର୍ଥାତ୍ ଗତ ବର୍ଷ ତୁଳନାରେ ୨ ଟଙ୍କା ବଢ଼ି ସାରିଛି । ପିଆଜ ଯୋଗାଣ ହ୍ରାସ ହେଲେ ସ୍ଥିତିକୁ ସମ୍ଭାଳିବା ପାଇଁ ସରକାର ୩ ଲକ୍ଷ ଟନ୍ ପିଆଜ ଜମା କରି ରଖିଛନ୍ତି ।