ଆଜି ବସିବ କଂଗ୍ରେସର ଜରୁରୀ ବୈଠକ

ଭୁବନେଶ୍ୱର: ଆଜି ବସିବ କଂଗ୍ରେସର ଜରୁରୀ ବୈଠକ। ପିସିସି ସଭାପତି ଆଜି ଏହି ବୈଠକ ଡାକିଛନ୍ତି । ଓବିସି ସଂରକ୍ଷଣ ଦାବି ନେଇ ଦିବାରାତ୍ର ଧାରଣାରେ ବସିଛି କଂଗ୍ରେସ। ହେଲେ ଧାରଣାସ୍ଥଳରେ କୌଣସି ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳୁନି। କେବଳ ପିସିସି ସଭାପତି ଭକ୍ତ ଦାସ, ସୁରେଶ କୁମାର ରାଉତରାୟ, ଲଲାଟେନ୍ଦୁ ମହାପାତ୍ର, ଅମର ପ୍ରଧାନ, ରାମଚନ୍ଦ୍ର ଖୁଣ୍ଟିଆ ଓ ଶରତ ରାଉତଙ୍କ ଭଳି କିଛି ନେତାଙ୍କୁ ଛାଡି ଦେଲେ ଅନ୍ୟ କେହି ନଥିଲେ। ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ମହମ୍ମଦ ମୋକିମ, ତାରା ବାହିନୀପତି, ନିରଂଜନ ପଟ୍ଟନାୟକ ଭଳି ନେତାମାନେ ବି ଅନୁପସ୍ଥିତ ଥିଲେ । ଏହାକୁ ନେଇ ଦଳ ଭିତରେ ଏବେ ପ୍ରବଳ ଘଣ୍ଟାଚକଟା ଆରମ୍ଭ ହୋଇଛି । ଏହି ଅନ୍ଦୋଳନରେ କେବଳ ଓବିସି ନେତାମାନେ ଯୋଗଦେବେ ବୋଲି ପିସିସି କହିଥିବା ଆଲୋଚନା ହେଉଛି। ଯେଉଁଥିପାଇଁ ଅନ୍ୟ ନେତାମାନେ ଯୋଗଦେଇନଥିବା କୁହାଯାଉଛି। କିନ୍ତୁ ଓବିସି ସଂପର୍କରେ ବରାବର କହିଆସିଥିବା ଶ୍ରୀକାନ୍ତ ଜେନା ଧାରଣାସ୍ଥଳକୁ ନଆସିବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।