ପ୍ରବଳ ବର୍ଷା ପରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ଭିଡିଓ କନଫରେନ୍ସିଂ ଜରିଆର ଜିଲ୍ଲାପାଳଙ୍କ ସହ ଆଲୋଚନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଗଷ୍ଟ ୧୯ ଓ ୨୦ ତାରିଖ ମଧ୍ୟରେ ମଧ୍ୟମରୁ ପ୍ରବଳ ବୃଷ୍ଟିପାତ ହୋଇଅଛି । ଏହି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁଯାୟୀ ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରାୟ ହାରାହାରି ୫୮.୫ ମି.ମି. ବୃଷ୍ଟିପାତ ହୋଇଅଛି । ୫ ଗୋଟି ଜିଲ୍ଲା ଯଥା ନବରଙ୍ଗପୁର, କଟକ, ଯାଜପୁର, କୋରାପୁଟ ଓ କେନ୍ଦ୍ରାପଡା ଜିଲ୍ଲାରେ ହାରାହାରି ବୃଷ୍ଟିପାତ ୧୦୦ ମି.ମି. ରୁ ଅଧିକ ହୋଇଥିବା ସ୍ଥଳେ ଆଉ ୧୦ଗୋଟି ଜିଲ୍ଲାରେ ୫୦ ମି.ମି. ରୁ ଅଧିକ ବର୍ଷା ରେକର୍ଡ କରାଯାଇଅଛି । କଟକ ଜିଲ୍ଲାର ସାଲେପୁର ବ୍ଲକରେ ୨୦ ତାରିଖରେ ସର୍ବାଧିକ ୩୦୦ ମି.ମି. ବୃଷ୍ଟିପାତ ହୋଇଥିବାର ରେକର୍ଡ କରାଯାଇଛି । ସେହିପରି କଟକ ଜିଲ୍ଲାର ନିଶ୍ଚିତକୋଇଲି ବ୍ଲକରେ ୨୯୭.୫ ମି.ମି., କଳାହାଣ୍ଡି ଜିଲ୍ଲାର ଧୁଆମୂଳ ରାମପୁର ବ୍ଲକରେ ୨୨୯.୪ ମି.ମି., ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ବ୍ଲକରେ ୨୮୦ ମି.ମି. ଓ ନବରଙ୍ଗପୁର ବ୍ଲକରେ ୨୪୩ ମି.ମି. ବୃଷ୍ଟିପାତ ହୋଇଅଛି । ୪୭ ଗୋଟି ବ୍ଲକରେ ୧୦୦ ରୁ ୨୦୦ମି.ମି. ମଧ୍ୟରେ ଏବଂ ଆଉ ୮୫ ଗୋଟି ବ୍ଲକରେ ୫୦ ରୁ ୧୦୦ ମି.ମି. ମଧ୍ୟରେ ବର୍ଷା ରେକର୍ଡ ହୋଇଅଛି । ପ୍ରବଳ ବୃଷ୍ଟିପାତ ଫଳରେ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଅଛି । ତେବେ ବନ୍ୟା ପରିସ୍ଥିତିର ସମ୍ଭାବନା ନାହିଁ ।
ମୟୁରଭଞ୍ଜ ଜିଲ୍ଲାରେ ବୃଷ୍ଟିପାତ ଫଳରେ ଦୁଇଟି ଅଦିନିଆ ରାସ୍ତା ବର୍ଷାଜଳ ଦ୍ୱାରା ବିଚ୍ଛିନ୍ନ ହୋଇଅଛି । ବିଜତୋଳା ବ୍ଲକରେ କେତେକ ଘର କ୍ଷତିଗ୍ରସ୍ତ ହୋଇଅଛି । କ୍ଷତିଗ୍ରସ୍ତ ପରିବାରକୁ ପଲିଥିନ୍ ବଣ୍ଟନ କରାଯାଇଅଛି । ଗତକାଲି ସନ୍ଧ୍ୟାରେ ଜମ୍ବିରା ନଦୀର ଗୋଲମୁହାଁ ଘାଟରେ ନଦୀପାରି ହେବା ସମୟରେ ଗଣ୍ଡଗୁହାଳି ଗ୍ରାମର ଦୁଇ ଜଣ ବ୍ୟକ୍ତି ଯଥା ବୁଦ୍ଧେଶ୍ୱର ମାଝି ଓ ମଙ୍ଗଳ ମାରାଣ୍ଡି ନିଖୋଜ ଥିଲେ । ବୁଦ୍ଧେଶ୍ୱର ମାଝିର ମୃତ ଶରୀର ଉଦ୍ଧାର କରାଯାଇଛି ଏବଂ ଅନ୍ୟ ବ୍ୟକ୍ତିଙ୍କର ସନ୍ଧାନ କାର୍ଯ୍ୟ ଚାଲୁ ରହିଅଛି । କଳାହାଣ୍ଡି ଜିଲ୍ଲାରେ ହାତୀ ନଦୀର ଜଳସ୍ତର ବିରିପୁର ଓ ମାଟିଖାଲ ଠାରେ ବୃଦ୍ଧି ପାଇଅଛି । ତହସିଲଦାର ଓ ବିଡିଓ ସେହି ସ୍ଥାନରେ ରହି ପରିସ୍ଥିତି ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି । ଏହି ଜିଲ୍ଲାର ଧର୍ମଗଡ ବ୍ଲକର ବଡବାସୁଳ ଠାରେ ହାଲେର ଯୋର ୩ ଫୁଟ ଉପରେ ବର୍ଷାଜଳ ପ୍ରବାହିତ ହେଉଅଛି । ଫଳରେ ଜୁନାଗଡ ଓ ଧର୍ମଗଡ ଜାତୀୟ ରାଜପଥରେ ଯୋଗଯୋଗ ବିଚ୍ଛିନ୍ନ ହୋଇଅଛି । ସେଠାରେ ପୋଲିସ୍ କର୍ମଚାରୀ ମୁତୟନ ଅଛନ୍ତି । ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ଫଳରେ ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀର ଜଳସ୍ତର ବୃଦ୍ଧି ପାଉଅଛି ମାତ୍ର କୌଣସି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ ।

Leave a Reply