ଭୁବନେଶ୍ୱର : କାଳବୈଶାଖୀରେ ଲାଗିବ ବ୍ରେକ୍ । କାଲିଠୁ ପୁଣି ଉପରମୁହାଁ ହେବ ପାରଦ । ୧୩ ତାରିଖ ବେଳକୁ ପୁଣି ୪୦ ଡିଗ୍ରୀ ଛୁଇଁବ ତାତି । ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ହେବ ସ୍ଥିତି । ଗ୍ରୀଷ୍ମ ପ୍ରବାହ ନ ହେଲେ ବି ଅସହ୍ୟ ପାଣିପାଗ ସ୍ଥିତି ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଗାତର ୩ଦିନ ଧରି ରାଜ୍ୟରେ ଜାରି ରହିଥିବା କାଳବୈଶାଖୀ ପ୍ରଭାବରେ ତାତିରେ ବ୍ରେକ୍ ଲାଗିଥିଲା । ବିଭିନ୍ନ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ପାଇଁ ତାପମାତ୍ରା ୩ ରୁ ୧୨ ଡିଗ୍ରୀ ପର୍ଯ୍ୟନ୍ତ କମିଥିଲା । ଆଜି ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ଜନିତ ହାଲୁକା ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ନୂଆପଡା, ବଲାଙ୍ଗିର, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ, ଅନୁଗୁଳ, ଢେଙ୍କାନାଳ ସହ ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ବଜ୍ରପାତ ନେଇ ଆକଳନ କରାଯାଇଛି । ୧୦ ଏବଂ ୧୧ ତାରିଖରେ କେବଳ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ବାକି ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ୧୩ ତାରିଖ ପରଠାରୁ ରାଜ୍ୟରେ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବ ବୃଦ୍ଧି ସହ ପୁଣି  ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି । କିଛି ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର ଜିଲ୍ଲାରେ ୪୦ଡ଼ିଗ୍ରୀ ଛୁଇଁବା ସମ୍ଭାବନା ରହିଛି ।