ଆରମ୍ଭ ହେଉନି ପ୍ରକଳ୍ପ, କାମ ଅଭାବରୁ ଦାଦନ ମୁହାଁ ଶ୍ରମିକ

1 min read

ନନ୍ଦିଘୋଷ ବ୍ୟୁରୋ: ପ୍ରାୟ ଏକ ବର୍ଷ ହେଲା ବନ୍ଦ ହୋଇ ପଡ଼ିଛି ମନରେଗା । ଆରମ୍ଭ ହେଉନି ପ୍ରକଳ୍ପ କାର୍ଯ୍ୟ । ନିୟୋଜିତ ହେଉ ନାହାଁନ୍ତି ଶ୍ରମିକ । ଏମିତିକି ଆବାସ ଯୋଜନାରେ ଗୃହ ନିର୍ମାଣ ସାରି ମନରେଗା ଅର୍ଥକୁ ଅପେକ୍ଷା କରି ରହିଛନ୍ତି ହିତାଧିକାରୀ । ଗ୍ରାଉଣ୍ଡ ଜିରୋରେ ସରକାରଙ୍କ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦେଖାଦେଇଛି ଅନିଶ୍ଚିତତା ।

ବନ୍ଦ ହୋଇ ପଡିଛି ମନରେଗା । ଆରମ୍ଭ ହେଉନି ପ୍ରକଳ୍ପ କାମ । କାମ ଅଭାବରୁ ଦାଦନ ମୁହାଁ ଶ୍ରମିକ । ଗତ ବର୍ଷକ ମଧ୍ୟରେ ଗତପତି ଜିଲ୍ଲା କାଶୀନଗର ବ୍ଲକ କେ.ସୀତାପୁର ପଞ୍ଚାୟତରେ କୌଣସି ପ୍ରକଳ୍ପ କାର୍ଯ୍ଯ ଆରମ୍ଭ ହୋଇନଥିବା ଅଭିଯୋଗ ହୋଇଛି । ରୋଜଗାର ନପାଇ ଅନେକ ଲୋକେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି । ଏପଟେ ଗାଁକୁ ପକ୍କା ରାସ୍ତା ନଥିବାବେଳେ କାଦୁଅ ପଚପଚ ଖାଲଖମା ମାଟି ରାସ୍ତା ମରାମତି କରିବାକୁ ସୁଦ୍ଧା ପ୍ରକଳ୍ପ ଅନୁମୋଦନ ହେଉନାହିଁ। ସୀତାପୁର ପଞ୍ଚାୟତର ଇପାଗୁଡା, ମିନିଗାଁଗୁଡା, ଜଗନ୍ନାଥପୁର ଗାଁରେ ପିଚୁ ରାସ୍ତା ନଥିବାରୁ ବର୍ଷା ଦିନେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ଗ୍ରାମାଞ୍ଚଳରେ ବେକାରୀ ସମସ୍ୟାକୁ ଦୂର କରିବା ସହ ଲୋକଙ୍କ ରୋଜଗାର ନିଶ୍ଚିତ କରିବାକୁ କେନ୍ଦ୍ର ସରକାରଙ୍କ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରହିଛି । ଦାଦନ ପ୍ରବଣ ଅଞ୍ଚଳରେ ଶ୍ରମିକଙ୍କୁ ବର୍ଷକରେ ୧୦୦ ରୁ ୨୦୦ ଦିନର ଶ୍ରମ ଦିବସ ପ୍ରଦାନ କରିବାକୁ ଏଥିରେ ପ୍ରାବଧାନ ରହିଛି । କିନ୍ତୁ ଗତ ଏକ ବର୍ଷ ହେଲାଣି କେ. ସୀତାପୁର ପଞ୍ଚାୟତରେ ଏହି ଯୋଜନାରେ କୌଣସି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇନାହିଁ । ମନରେଗା ଯୋଜନାରେ ପ୍ରକଳ୍ପ ମଞ୍ଜୁର ନେଇ ଲୋକେ ବାରମ୍ବାର ଦାବି କରୁଥିଲେ ମଧ୍ଯ ବ୍ଲକ ପ୍ରଶାସନ ହାତ ଟେକି ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ଦିନ ଗଡେଇ ଚାଲିଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ମନରେଗା ଯୋଜନାରେ କାମ ଚାଲୁ ରହିଛି । ପର୍ଯ୍ୟାୟକ୍ରମେ ପ୍ରକଳ୍ପ ଅନୁମୋଦନ ହେଉଛି । ଅନ୍ୟ ପ୍ରକଳ୍ପ ଅପେକ୍ଷା କମ ସଂଖ୍ୟାରେ ରାସ୍ତା ନିର୍ମାଣ ପ୍ରକଳ୍ପ ଅନୁମୋଦନ ହେଉଛି । ଏ କ୍ଷେତ୍ରରେ ଅନୁଧ୍ୟାନ କରି କାର୍ଯ୍ୟ କରିବେ ବୋଲି କହିଛନ୍ତି ଜିଲ୍ଲା ମୁଖ୍ଯ ପ୍ରଶାସକ । ଏଠି ପ୍ରଶ୍ନ ଉଠୁଛି- ଆଦିବାସୀଙ୍କ ବିକାଶ ନାଁରେ ଆସୁଥିବା ଯୋଜନାର ଟଙ୍କା ଯାଉଛି କୁଆଡେ ? କେଉଁଠି ଖର୍ଚ୍ଚ ହେଉଛି ? ଯାହାର ତଦନ୍ତ କରିବା ଜରୁରୀ ହୋଇପଡିଛି ।