ସ୍କୁଲରେ ପଶି କାଶ୍ମୀରୀ ପଣ୍ଡିତ ମହିଳା ଶିକ୍ଷକଙ୍କୁ ହତ୍ୟା କଲେ ଆତଙ୍କବାଦୀ

1 min read

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଟାର୍ଗେଟ କିଲିଂ । ସ୍କୁଲରେ ସନ୍ଦିଗ୍ଧ ଆତଙ୍କୀଙ୍କ ଖୁନିଖେଳ । ଆତଙ୍କବାଦୀଙ୍କ ଟାର୍ଗେଟରେ କାଶ୍ମୀର ପଣ୍ଡିତ । ଅଭିନେତ୍ରୀ ଅମରି ଭଟ୍ଟ ହତ୍ୟାକୁ ସପ୍ତାହେ ବିତି ନଥିବା ବେଳେ ଆଉ ଜଣେ ପଣ୍ଡିତ ମହିଳାଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ଜାମ୍ମୁ-କାଶ୍ମୀରର କୁଲଗାମଠାରେ ସ୍କୁଲରେ ଶିକ୍ଷକ ଥିବା ପଣ୍ଡିତ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସ୍କୁଲରେ ପଶି ଆତଙ୍କବାଦୀ ତାଙ୍କୁ ଗୁଳି କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ତାଙ୍କ ମୃତ୍ୟ ହୋଇଛି । କୁଲଗାମଠାରେ ଆତଙ୍କବାଦୀଙ୍କ ଗୁଳିକାଣ୍ଡ ପରେ ପୂରା ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ବେଳେ ସୁରକ୍ଷାକର୍ମୀ ଆଲର୍ଟରେ ରହିଛନ୍ତି । କାଶ୍ମୀର ମିଡ଼ିଆ ମୁତାବକ, ମୃତ ମହିଳା ରଜନୀ ୯୦ ଦଶକରେ କାଶ୍ମୀରରୁ ପଳାୟନ ପରେ ପୁଣି ଥରେ ଘାଟିକୁ ଫେରିଥିଲେ ।

ଏହି ଜଘନ୍ୟ କାଣ୍ଡରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଉପଯୁକ୍ତ ଶାସ୍ତି ଦିଆଯିବ ବୋଲି କାଶ୍ମୀର ଜୋନ୍ ପୋଲିସ କହିଛି । ସେପଟେ ଅବନ୍ତିପୁରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ଦୁଇ ଆତଙ୍କୀ ଜୈଶ-ଏ-ମହମ୍ମଦର ସଦସ୍ୟ ବୋଲି ଜଣାପଡ଼ିଛି ।