ତାଙ୍କ ଅବର୍ତ୍ତମାନ କେବଳ ଏକ ବ୍ୟକ୍ତିଗତ ଅନ୍ତର୍ଧ୍ୟାନ ନୁହେଁ, ଏହା ହେଉଛି ଯୁଗାବସାନର ସଂକେତ

ଭୁବନେଶ୍ୱର: ସେ ଓଡ଼ିଆ ଚଳଚିତ୍ର ଆକାଶରେ ଜକ୍‌ମକ୍‌ ହୋଇ ଜଳୁଥିବା ତାରକା ଥିଲେ। ଆକାଶରେ ତ ଅନେକ ତାରା ଥାନ୍ତି କିନ୍ତୁ ଗୋଟିଏ ଗୋଟିଏ ନକ୍ଷତ୍ର ସମସ୍ତଙ୍କୁ ଆକର୍ଷିତ କରୁଥାଏ ଅହରହ। ଓଡ଼ିଆ ଫିଲ୍ମ ଦୁନିଆର ସେମିତି ଜଣେ ଉଜ୍ଜ୍ୱଳ ନକ୍ଷତ୍ର ଥିଲେ ଅଭିନେତା ‘ମିହିର ଦାସ’। ଯିଏ ଆକର୍ଷିତ ତାରକାଟେ ହୋଇ ସଭିଙ୍କୁ ଆକର୍ଷିତ କରିପାରିଥିଲେ। ରୁପେଲି ପରଦାରେ ଯାହାଙ୍କର ସୁନେଲି ଅଭିନୟ ସବୁବର୍ଗର ଦର୍ଶକଙ୍କୁ ଆତ୍ମହରା କରିପାରୁଥିଲା। ଅଭିନୟର ବିଭିନ୍ନ ବିଭାଗରେ ସେ ନିଜର ଦକ୍ଷତା ଦେଖାଇଥିଲେ। 

ମିହିର ଦାସ…ଓଡ଼ିଆ ସିନେ ଜଗତର ଏକ ଏମିତି ଅଭିନେତା ଯାହାଙ୍କ ନାଁରୁ ହିଁ ଜଣାପଡ଼େ ତାଙ୍କ ଚରିତ୍ରର ପରିଭାଷା। ସବୁ ବେଳେ ସମସ୍ତଙ୍କ ଶୁଭ କାମନା କରୁଥିବା ଏହି ବ୍ୟକ୍ତି ଆଜି ଏ ଦୁନିଆରେ ନାହାଁନ୍ତି ସତ କିନ୍ତୁ ପଛରେ ଛାଡ଼ି ଯାଇଥିବା ତାଙ୍କର ଅନେକ ଅଭୁଲା ସ୍ମୃତି। ଯାହାକୁ ଭୁଲିବା ହୁଏତ ତାଙ୍କ ପ୍ରଂଶସକଙ୍କ ପାଇଁ ଅସମ୍ଭବ। ମୟୂରଭଞ୍ଜରେ ଜନ୍ମ ହୁଅନ୍ତି ଏବଂ ରାଜଧାନୀକୁ ତାଙ୍କ ଅଭିନୟର ଯାଦୁରେ ସଭିଙ୍କୁ କିଣି ନିଅନ୍ତି। ଅଭିନୟ ଜଗତରେ ସେ ଥିଲେ ଅର୍ଜୁନ।

ସଂଘର୍ଷ ଆଉ ସଂଘାତ ଜୀବନର ସେ ଥିଲେ ସହଚର। ତାକୁ ଗୌଣ କରି ଯିଏ ଆଗକୁ ବଢେ, ସେ ହୁଏ ମହାନ୍। ଆଉ ସେଇ ମହନୀୟତାର ଉଦାହରଣ ହେଉଛନ୍ତି ମିହିର ଦାସ। ଯିଏ ଅର୍ଦ୍ଧ ଶତାବ୍ଦୀର ଅଭିନୟ ଜୀବନକୁ ପଛରେ ଛାଡ଼ି ଆଗକୁ ବଢିଛନ୍ତି ସଂସାରର ଚରମ ସତ୍ୟକୁ ଆଲିଙ୍ଗନ କରିବା ପାଇଁ। ଆୟୁଷ ସରିଯାଇଛି ତାଙ୍କର, କିନ୍ତୁ ସେ ଆୟୁଷ୍ମାନ ହୋଇଯାଇଛନ୍ତି ଜନମାନସରେ। କି ପ୍ରଚଣ୍ଡ ତାଙ୍କର ପ୍ରତିଭା, କି ଚମତ୍କାର ଥିଲା ତାଙ୍କର ଅଭିନୟ। କି ଆବେଗ, କେତେ ଅନ୍ୱେଷା, ପୁଣି କେତେ ଦୁର୍ଦ୍ଦଶ। ଉତ୍କର୍ଷର ଉଦ୍ୟୋକ୍ତା ଥିଲେ ସେ। ରୂପେଲି ପରଦାରେ ଯିଏ ତାଙ୍କର ସୁନେଲି ଅଭିନୟ ଦେଖିଛି, ସେ ହିଁ ବୁଝିଛି ତାଙ୍କ କଳାକାର ସତ୍ତାର ସୀମାହୀନ ଗଭୀରତାକୁ।

ମଥୁରା ବିଜୟରୁ ଆରମ୍ଭ ହୋଇଥିଲା ତାଙ୍କ ଜୀବନରେ ଅଭିନୟର ବିଜୟ ଯାତ୍ରା। ମଥୁରା ବିଜୟ ଠାରୁ ଆରମ୍ଭ କରି ତୁ ମୋ ଲଭ ଷ୍ଟୋରୀ, ଏହି ଅଭିନୟ ଯାତ୍ରାର ପ୍ରତିଟି ଛକରେ ଆଜି ସେ ଠିଆ ହୋଇଛନ୍ତି ଚମତ୍କାର ସ୍ମାରକୀ ଟେ ହୋଇ।

ତାଙ୍କ ଅବର୍ତ୍ତମାନ, କେବଳ ଏକ ବ୍ୟକ୍ତିଗତ ଅନ୍ତର୍ଧ୍ୟାନ ନୁହେଁ । ଏହା ହେଉଛି, ଯୁଗାବସାନର ସଂକେତ। ଯାହାଙ୍କୁ ଆଜି ପ୍ରତି ଓଡ଼ିଆ ଦର୍ଶକର ସଜଳ ଆଖି ଖୋଜୁଛି, ଆଉ ଖୋଜୁଛି। ସେ କିନ୍ତୁ ଅଫେରା ରାସ୍ତାର ପଥିକ। ଦିନେ ଦର୍ଶକଙ୍କୁ ପର୍ଯ୍ୟାପ୍ତ ଆନନ୍ଦ ଦେଇଥିବା ମିହିର ଆଜି ଦର୍ଶକଙ୍କ ଆଖିରେ ଭରି ଦେଇଛନ୍ତି, ଖାଲି ଲୁହ ଆଉ ଲୁହ।

ଅଭିନୟର ବିଭିନ୍ନ ବିଭାଗରେ ମିହିରଙ୍କର ରହିଥିଲା ବିଶେଷତ୍ୱ। ହେଲେ ସବୁଠୁ ଅଧିକ ତାଙ୍କ ଚରିତ୍ର ଅଭିନୟ ଦର୍ଶକଙ୍କୁ କରୁଥିଲା ଅଭିଭୁତ। ଲାଗୁଥିଲା, ସତେ ଯେମିତି ଅଭିନୟ ନୁହେଁ, ବାସ୍ତବ ଜୀବନର କଥା କହୁଛନ୍ତି ସେ। କ୍ଷମା, ପ୍ରେମ, ତିତିକ୍ଷାର ସେ ଥିଲେ ତଲ୍ଲୀନ ମଣିଷ। ସେଥିପାଇଁ ତ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ମଣିଷ ଆଜି ଶୋକ ସନ୍ତପ୍ତ । ମିହିର ଯୁଗର ଅବସାନ ଯେ ଘଟିଛି ଏକଥାକୁ ମନ ଗ୍ରହଣ କରୁନି। ଓଡ଼ିଶାର ଏହି ମହାନ କଳାକାରଙ୍କ ବିୟୋଗରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।

୧୯୭୯ରୁ ସେ ଫିଲ୍ମ ଜଗତକୁ ଏଣ୍ଟ୍ରି କରିଥିଲେ। ମଥୁରା ବିଜୟରୁ ଆରମ୍ଭ କରି ତୁ ମୋ ଲଭ୍‌ ଷ୍ଟୋରିରେ ଅଭିନୟ କରି ଦେଇଥିଲେ ମହାନ ଅଭିନୟର ପରିଚୟ। ଏହି ଅଭିନେତା ଜଣଙ୍କ କେତେବେଳେ ନାୟକ ହୋଇ ଦର୍ଶକଙ୍କ ହୃଦୟ ଜିଣିଛନ୍ତି ତ ପୁଣି କେତେବେଳେ ଖଳନାୟକ ହୋଇ ଦର୍ଶକଙ୍କ ଘୃଣାର ଶିକାର ହୋଇଛନ୍ତି।

Leave a Reply