ଅଦିନିଆ ଲଘୁଚାପ ବର୍ଷା ଉଜାଡି ଦେଲା ଜାତୀୟ ଫସଲ
1 min read
ନନ୍ଦିଘୋଷ ବ୍ୟୁରୋ: ଅଦିନିଆ ଲଘୁଚାପ ବର୍ଷା ଉଜାଡି ଦେଲା ଜାତୀୟ ଫସଲ ମିଲେଟ । ଲଗାଣ ବର୍ଷା ଯୋଗୁଁ ଏକର ଏକର ଜମିରେ ମାଣ୍ଡିଆ, କୋଦୋ ଓ ବାଜରା ଚାଷ ନଷ୍ଟ ହୋଇଛି। ଯାହାକୁ ନେଇ ଚିନ୍ତାରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଚାଷୀ। ଏବେ କ୍ଷତିପୂରଣ ଦାବିରେ ଅଡିବସିଛନ୍ତି ଚାଷୀ।
ଅଦିନିଆ ଲଘୁଚାପ ବର୍ଷା ଉଜାଡିଦେଲା ମିଲେଟ ଚାଷ । ଅମଳ ପୂର୍ବରୁ ଚାଷ ନଷ୍ଟ। କଳା ପଡ଼ିଗଲା ଫୁଲ। ଚିନ୍ତାରେ ଚାଷୀ। ଏ ହେଉଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଗାଁର ଚାଷୀ ଅମଳ କରିଥିବା ଜାତୀୟ ଫସଲ ମିଲେଟ । ଧାନ ଚାଷ ପରେ ମିଲଟ ଜାତୀୟ ଫସଲ କରିବାକୁ ଶ୍ରୀ-ଅନ୍ନ ଯୋଜନା କରିଥିଲେ ସରକାର। ଏହି ଯୋଜନାରେ ଅନେକ ଗାଁର ଚାଷୀମାନେ ଚଳିତ ବର୍ଷ ମାଣ୍ଡିଆ,କୋଦୋ,ବାଜରା ଚାଷ କରିଥିଲେ । ହେଲେ ଦୁର୍ଭାଗ୍ୟ, ଅଦିନିଆ ଲଘୁଚାପ ବର୍ଷା ସବୁକିଛି ନଷ୍ଟ କରିଦେଇଛି । ମାଣ୍ଡିଆ ଚାଷ ଫୁଲ ହୋଇଥିଲା, ତାହା କଳା ପଡ଼ି ଯାଇଛି ।
ଅମଳ ହୋଇ ସରକାରୀ ଦରରେ ବିକ୍ରି କରିଥିଲେ କିଛି ଟଙ୍କା ପାଇଥାନ୍ତେ। ପରିବାରର ଗୁଜରାଣ ମେଣ୍ଟାଇପାରିଥାନ୍ତେ। ହେଲେ ଏବେ ପଚିଯିବା ଫସଲ ମଣ୍ଡିରେ ବିକ୍ରି ହେବ ନାହିଁ। ସେପଟେ ବ୍ଲକ କୃଷି ଅଧିକାରୀ କହିଛନ୍ତି, ଅଭିଯୋଗ ଆସିଲା ପରେ ତଦନ୍ତ କରିବୁ । ଏକ ଟିମ ଗଠନ କରି ଚାଷ ଜମି ପରିଦର୍ଶନ କଲା ପରେ କ୍ଷତି ପୂରଣ ଦିଆଯିବ ବୋଲି କୃଷି ଅଧିକାରୀ କହିଛନ୍ତି । ଚାଷୀଙ୍କ ଦୁଃଖ କେବେ ସରକାର ଶୁଣୁଛନ୍ତି ଓ କେବେ କ୍ଷତିପୂରଣ ମିଳୁଛି ତାକୁ ଦେଖିବାକୁ ବାକି ରହିଲା ।