ନିଷ୍ପତ୍ତି ପ୍ରତ୍ୟାହାର କଲା ICICI ବ୍ୟାଙ୍କ: ଏବେ ଆକାଉଣ୍ଟରେ ୫୦ ହଜାର ରଖିବା ଜରୁରୀ ନୁହେଁ

1 min read

ଦେଶର ଦ୍ବିତୀୟ ସର୍ବବୃହତ ପ୍ରାଇଭେଟ ବ୍ୟାଙ୍କ ICICI ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ସୀମା ହ୍ରାସ କରିଛି । ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ୫୦ ହଜାର ରଖିବାକୁ ନିକଟରେ ବ୍ୟାଙ୍କ ପକ୍ଷରୁ ସୂଚନା ଜାରି କରାଯାଇଥିଲା । ମାତ୍ର ଏବେ ବ୍ୟାଙ୍କ ପୂର୍ବ ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛି । ଅର୍ଥାତ ଏବେ ଗ୍ରାହକମାନେ ନିଜ ନିଜର ବ୍ୟାଙ୍କ ଆକାଉଣ୍ଟରେ ୫୦ ହଜାର ଟଙ୍କା ରଖିବା ଜରୁରୀ ନୁହେଁ । ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଏହି ଲିମିଟ୍ ହ୍ରାସ କରାଯାଇ ୨୫୦୦ ଟଙ୍କା କରାଯାଇଛି ।

ସେହିପରି ମେଟ୍ରୋ ଓ ସହରାଞ୍ଚଳର ନୂଆ ସେଭିଙ୍ଗ ଆକାଉଣ୍ଟ ପାଇଁ ସର୍ବନିମ୍ନ ମାସିକ ଆଭରେଜ ବାଲାନ୍ସ (MAB) ୧୫ ହଜାର ଟଙ୍କା କରାଯାଇଛି । ଅଗଷ୍ଟ ପହିଲା ଠାରୁ ଏହା ଲାଗୁ କାର୍ଯ୍ୟକାରୀ ହେବ । ଅର୍ଦ୍ଧ-ସହରୀ କ୍ଷେତ୍ର ପାଇଁ ୨୫ ହଜାର ଟଙ୍କାରୁ ହ୍ରାସ କରାଯାଇ ୭,୫୦୦ ଟଙ୍କା କରାଯାଇଛି । ଗ୍ରାମୀଣ କ୍ଷେତ୍ର ପାଇଁ ୧୦ ହଜାରରୁ ହ୍ରାସ କରାଯାଇ ୨,୫୦୦ କରାଯାଇଛି । ଅଗଷ୍ଟ ପହିଲା ଠାରୁ ନୂଆ ସେଭିଂ ଆକାଉଣ୍ଟ ପାଇଁ MABର ନୂଆ ନିୟମ ବ୍ୟାଙ୍କ ଲାଗୁ କରିଥିଲା । ମାତ୍ର ଗ୍ରାହକଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିବା ପାଇଁ ବ୍ୟାଙ୍କ ପକ୍ଷରୁ ଉକ୍ତ ସର୍ତ୍ତରେ ପରିବର୍ତ୍ତନ କରାଯାଇଛି ।