ଅନାବୃଷ୍ଟି ସ୍ଥିତି ନେଇ ସରକାର ସଜାଗ, ମୁଖ୍ୟ କାର୍ଯ୍ୟାଳୟ ଛାଡ଼ିପାରିବେ ନାହିଁ କୃଷି ଅଧିକାରୀ

ଭୁବନେଶ୍ୱର: ରାଜ୍ୟରେ ଅନାବୃଷ୍ଟି ଜନିତ ସ୍ଥିତି ନେଇ ଜରୁରିକାଳୀନ ସମୀକ୍ଷା ବୈଠକ । ଏଥିରେ ଅଧ୍ୟକ୍ଷତା କରି କୃଷିମନ୍ତ୍ରୀ ଡ. ଅରୁଣ ସାହୁ କ୍ଷେତ୍ର ଅଧିକାରୀଙ୍କୁ ଚାଷୀଙ୍କ ସହ ନିୟମିତ ସମ୍ପର୍କ ରଖିବାକୁ ପରାମର୍ଶ ଦେଇଛନ୍ତି । ଏହି ପରିସ୍ଥିତିରେ କେହି ମୁଖ୍ୟ କାର୍ଯ୍ୟାଳୟ ଛାଡ଼ିପାରିବେ ନାହିଁ । ଦରକାର ପଡ଼ିଲେ କ୍ଷେତ୍ରସ୍ଥଳକୁ ଯିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଚାୟତ ଓ ବ୍ଲକସ୍ତରରେ ନିଜ ଅଞ୍ଚଳର ଜଳନିଧି ଉଠା ଜଳସେଚନ, କ୍ଷେତ ପୋଖରୀ, କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ପ୍ରକଳ୍ପର ଡାଟାବେସ୍‌ ପ୍ରସ୍ତୁତ କରାଯିବ ।

ସେଥିମଧ୍ୟରୁ କୋତୋଟି ସଂପୂର୍ଣ୍ଣ, କେଉଁଗୁଡିକ ଅଚଳ, ମରାମତି ଯୋଗ୍ୟ ସେନେଇ ତଥ୍ୟ ଦେଲେ ତ୍ବରିତ ପଦକ୍ଷେପ ନିଆଯିବ । କୌଣସି ଅଧିକାରୀ ମୋବାଇଲ ବନ୍ଦ କରିପାରିବେ ନାହିଁ । ସ୍ଥିତିର ମୁକାବିଲା ପାଇଁ ସପ୍ତାହର ୭ଦିନ ଅଫିସ ଖୋଲା ରହିବ । ଅନାବୃଷ୍ଟି ଓ ମରୁଡ଼ିର ପ୍ରତିକାର ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିଜ ଅଞ୍ଚଳର ଅନାବୃଷ୍ଟି ଓ ଓ ସମ୍ଭାବ୍ୟ ମରୁଡ଼ିର ପ୍ରତିକାର ପାଇଁ ଫସଲ ବିବିଧିକରଣ ଓ ସମନ୍ୱିତ କୃଷି କାର୍ଯ୍ୟକ୍ରମକୁ ଆଖିରେ ରଖି ଜିଲ୍ଲାସ୍ତରରେ ଆପାତକାଳୀନ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି ।

ଏଥିରେ ସ୍ୱଳ୍ପ ମିଆଦି ଓ ମଧ୍ୟମ ମିଆଦି ଯୋଜନା ରହିବ । ଜଳ ଯୋଗାଣ ପାଇଁ ସୁବିଧା ଥିଲେ ଜଳ ସମ୍ପଦ ବିଭାଗ ସହ ଯୋଗାଯୋଗ କରିବାକୁ କୁହାଯାଇଛି । ପ୍ରତି ଶନିବାର ଅପରାହ୍ନରେ ବ୍ଲକ ଓ ଜିଲ୍ଲାସ୍ତରରେ ସମୀକ୍ଷା ବୈଠକ ହେବ । ଏଥିସହ ପଞ୍ଚାୟତସ୍ତରୀୟ ବୈଠକ ଯଥାରୀତି ଚାଲିବ । ସବୁ ରବିବାର ରାଜ୍ୟର ସବୁ ଅଧିକାରୀଙ୍କ ସହ ସମୀକ୍ଷା କରିବେ କୃଷି ମନ୍ତ୍ରୀ ।

Leave a Reply