ଅନଲାଇନ ଗେମ୍ ହାରି ପରିବାରର ୪ ଜଣଙ୍କୁ ହତ୍ୟା କଲା ନାବାଳକ ଛାତ୍ର

ତ୍ରିପୁରା: ଅନଲାଇନ ଗେମରେ ହାରି ପରିବାରର ୪ ଜଣଙ୍କୁ ହତ୍ୟା କଲା ନବମ ଶ୍ରେଣୀ ଛାତ୍ର । ମୋବାଇଲ ଅନଲାଇନ୍ ଗେମରେ ୪୦ ହଜାର ଟଙ୍କା ହାରିବା ପରେ ଘରେ ଟଙ୍କା ନଦେବାରୁ ନେଲା ଚରମ ପଦକ୍ଷେପ । ୪ ଜଣଙ୍କୁ ହତ୍ୟା କରି ମାଟିରେ ପୋତି ଦେଲା । ଅଭିଯୁକ୍ତ ନାବାଳକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ତ୍ରିପୁରା ଢଲାଇ ଜିଲ୍ଲା କମଳପୁର ନିକଟସ୍ଥ ଦୁବାଇ ଶିବପଡ଼ାରେ ।

ଏଠାରେ ରୁହନ୍ତି ଦେବନାଥ ଓ ତାଙ୍କ ପରିବାର । ରାତିରେ ପରିବାର ଝଗଡ଼ା ପରେ ସକାଳୁ କାହାରିକୁ ନଦେଖି ପୋଲିସରେ ଖବର ଦେଇଥିଲେ ପଡୋଶୀ । ପୋଲିସ୍ ପହଞ୍ଚି ଘରେ କେହି ନଥିବା ଜାଣିବା ପରେ ନାବାଳକଙ୍କୁ ପଚରାଉଚରା କରିଥିଲା । ପୋଲିସ ଭୟରେ ନାବାଳକ ଜଣକ ସବୁକିଛି ଖୋଲି କହିଥିଲା । ମୋବାଇଲରେ ଗେମକ ଖେଳି ୪୦ ହଜାର ଟଙ୍କା ହରାଇଥିଲା ଛାତ୍ର ଜଣକ । ଯାହାକୁ ସେ କରଜ କରି ଶୁଝିଥିଲା । କରଜଦାତା ବାରମ୍ବାର ଟଙ୍କା ମାଗିବାରୁ ପରିବାର ଲୋକଙ୍କୁ ଟଙ୍କା ଦେବାକୁ ଜିଦ୍ ଧରିଥିଲା । ତେବେ ଟଙ୍କା ନଦେବାରୁ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରି ଝଗଡ଼ା କରିଥିଲା । ପରେ ଜେଜେବାପା, ମା, ଭଉଣୀ ଓ ଜଣେ ସମ୍ପର୍କୀୟଙ୍କୁ ମାରିବା ପରେ ମାଟି ଖୋଳି ପୋତି ଦେଇଥିଲା । ଅଭିଯୁକ୍ତର ବୟାନ ଆଧାରରେ ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି ।