ବୌଦ୍ଧ: ସାପ ନାଁ ଶୁଣିଲେ ସାଧାରଣତଃ ଲୋକଙ୍କ ଆତ୍ମା ଶୁଖିଯାଏ। ହେଲେ ଜଣେ ପକ୍ଷାଘାତ ରୋଗୀକୁ ବିଷଧର ସାପ ଦୀର୍ଘ ଦୁଇ ଘଣ୍ଟା ଧରି ଜାବୁଡ଼ି ଧରିବା ଭଳି ଏକ ଅଭାବନୀୟ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜୀବନ ବଞ୍ଚାଇବା ପାଇଁ ଦୀର୍ଘ ୨ ଘଣ୍ଟା କାଳ ଚାଲିଥିଲା ଜୀବନ-ମରଣର ସଂଘର୍ଷ। ଏଭଳି ଏକ ଚଞ୍ଚଲ୍ୟକର ଦୃଶ୍ୟ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଆଡେଣିଗଡ଼ ଗାଁରେ ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଡେଣିଗଡ଼ ଗାଁର କୃଷ୍ଣ ଚନ୍ଦ୍ର ସାହୁ ଜଣେ ପକ୍ଷାଘାତ ରୋଗୀ। ଗତକାଲି ରାତିରେ ସେ ନିଜ ଘରେ ଶୋଇଥିବା ସମୟରେ, ଏକ ବିଷଧର ସାପ ଝରକା ଦେଇ ଘର ଭିତରକୁ ପଶି ଆସିଥିଲା। ସାପଟି ସିଧା ଯାଇ କୃଷ୍ଣଙ୍କ ଶରୀର ଉପରକୁ ଚଢ଼ି ଯାଇଥିଲା।
କୃଷ୍ଣଙ୍କ ଶରୀର ଉପରେ ସାପ ଚଢ଼ିବା ସେ ଜାଣିପାରିଥିଲେ ମଧ୍ୟ ହଠାତ୍ ଉଠି ପାରିନଥିଲେ କି କାହାକୁ ସାହାଯ୍ୟ ପାଇଁ ଡାକି ପାରିନଥିଲେ। ପକ୍ଷାଘାତ ରୋଗରେ ପୀଡ଼ିତ ଥିବାରୁ ତାଙ୍କ ଶରୀରର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଅଚଳ ରହିଛି, ଯାହାଫଳରେ ସେ ନିଜକୁ ରକ୍ଷା କରିବାକୁ ଅସମର୍ଥ ଥିଲେ। ତେବେ କିଛି ସମୟ ପରେ କୃଷ୍ଣ ଉଠିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେତେବେଳକୁ ବିଳମ୍ବ ହୋଇଯାଇଥିଲା। ସାପଟି ତାଙ୍କ ହାତକୁ ପାଖରେ ଥିବା ଏକ ଚେୟାର ସହିତ ଜୋରରେ ଗୁଡ଼ାଇ ବାନ୍ଧି ଦେଇଥିଲା। ଏହାପରେ କୃଷ୍ଣ କୌଣସି ମତେ ପାଟି କରିବାରୁ ତାଙ୍କ ପାଟି ଶୁଣି ପରିବାର ଲୋକେ ଦଉଡ଼ି ଆସିଥିଲେ।
ଘର ଭିତରେ ଏଭଳି ଦୃଶ୍ୟ ଦେଖି ପରିବାର ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ବିଷଧର ସାପ କବଳରୁ କୃଷ୍ଣଙ୍କୁ ବଞ୍ଚାଇବା ପାଇଁ ପରିବାର ଲୋକେ ପ୍ରାଣପଣେ ଚେଷ୍ଟା କରିଥିଲେ। ଦୀର୍ଘ ୨ ଘଣ୍ଟାର କଠିନ ପରିଶ୍ରମ ଏବଂ ସାବଧାନତା ପରେ କୃଷ୍ଣଙ୍କୁ ସେହି ବିଷଧର ସାପ କବଳରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ପରେ ସାପଟିକୁ ଘର ବାହାରକୁ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଛି।

