ବଲାଙ୍ଗୀର ଡାକ୍ତରଙ୍କୁ ମାଡ ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

1 min read

ବଲାଙ୍ଗୀର: ବଲାଙ୍ଗୀରରେ ଅଭାବନୀୟ ଘଟଣା। ପୁଣି ଡାକ୍ତରଙ୍କୁ ମାଡ ମାରିଲେ ଦୁର୍ବୃତ୍ତ । ମହିଳା ରୋଗୀଙ୍କ ସ୍ବାମୀ ଓ କିଛି ଯୁବକ, ଡାକ୍ତରଙ୍କୁ ରାସ୍ତାରେ ଅଟକାଇ ମରଣାନ୍ତକ ଆକ୍ରମଣ କରିଛନ୍ତି । ଡାକ୍ତର ବିଶ୍ବରଞ୍ଜନ ସ୍ବାଇଁ ମେଡିକାଲ କଲେଜ ହସ୍ପିଟାଲରୁ ଓପିଡି ସାରି ହଷ୍ଟେଲକୁ ଫେରୁଥିବା ବେଳେ ଶାନ୍ତିପଡ଼ାରେ ତାଙ୍କୁ ଆକ୍ରମଣ ହୋଇଥିଲା। କାଚ ବୋତଲ ଓ ଲୁହା ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଛନ୍ତି ।

ଗୁରୁତର ଅବସ୍ଥାରେ ଡାକ୍ତରକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ମେଡିକାଲରେ ଡାକ୍ତର କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ମୁଖ୍ୟ ଫାଟକ ଆଗରେ ଡାକ୍ତରମାନେ ଆନ୍ଦୋଳନ କରିଛନ୍ତି । ଯାହାକୁ ନେଇ ଡାକ୍ତରଖାନାରେ ରୋଗୀସେବା ବ୍ୟାହତ ହୋଇଛି । ଘଟଣାକୁ ନେଇ ମେଡିକାଲରେ ପହଞ୍ଚି ଆହତ ଡାକ୍ତର ଓ ଆନ୍ଦୋଳନକାରୀ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ ଓ ଏସପି ।

ଏହି ଘଟଣାରେ ବଲାଙ୍ଗୀର ଟାଉନ୍ ଥାନା ପୋଲିସ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ମୁଖ୍ୟ ଅଭିଯୁକ୍ତ ଫେରାର୍ ହୋଇଯାଇଥିବା ଜଣାପଡିଛି । ଅଭିଯୁକ୍ତଙ୍କ ବିରୋଧରେ NSA ଲାଗୁ କରିବା ସହ ଡାକ୍ତରଙ୍କ ସୁରକ୍ଷା ନେଇ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଜୁନିଅର ଡାକ୍ତର ମାନେ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ଦାବି କରିଛନ୍ତି । ଜୁନିଅର ଡାକ୍ତର ସଂଘ ସହିତ ମେଡିକାଲ ସୁପରିଟେଣ୍ଡେଣ୍ଟ ଆଲୋଚନା କରୁଛନ୍ତି।