ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରି ମାମଲା; ଶିଶୁପୁତ୍ର ଉଦ୍ଧାର

ବାଲେଶ୍ବର: ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରି ମାମଲା। ଉଦ୍ଧାର ହେଲା ଚୋରି ହୋଇଥିବା ଶିଶୁପୁତ୍ର। ରେମୁଣା ଥାନା ଅଧୀନ ଦୁର୍ଗାଦେବୀ ଅଞ୍ଚଳରୁ ଶିଶୁକୁ ଉଦ୍ଧାର କରିଛି ପୋଲିସ । ଶିଶୁଟିକୁ ଚୋରି କରିଥିବା ମହିଳାଙ୍କୁ ଅଟକ ରଖାଯାଇଛି ।

ଗତକାଲି ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରୁ ୭ ଦିନର ଶିଶୁ ପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ବାଲିଆପାଳ ଆଠବାଟିଆ ଅଞ୍ଚଳର ଶୁସାନ୍ତ ବାରିକଙ୍କ ସ୍ତ୍ରୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଜଣ୍ଡିସ ଚିକିତ୍ସା ଚାଲିଥିବା ବେଳେ ପ୍ରସୂତୀ ବିଭାଗର ବେଡରୁ ନବଜାତକକୁ କେହି ଚୋରି କରିନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ମେଡିକାଲ ଫାଣ୍ଡିରେ ଏତଲା ପରେ ପୋଲିସ ତଦନ୍ତ କରି ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ମହିଳାଙ୍କୁ ପଚରାଉଚରା କରୁଛି।

ବାଲେଶ୍ବର ଏସପି ସାଗରିକା ନାଥ କହିଛନ୍ତି, ଶିଶୁପୁତ୍ର ଲୋଭରେ ମହିଳା ଜଣଙ୍କ ଚୋରି କରିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ବର୍ତ୍ତମାନ ଶିଶୁଟି ଚିକିତ୍ସାଧୀନ ଅବସ୍ଥାରେ ରହିଛି । ଆଗକୁ ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଏସପି କହିଛନ୍ତି ।