ଏସଏଚଜିକୁ ଏସଏମଇରେ ପରିଣତ କରିଛି ମିଶନ ଶକ୍ତି

1 min read

ଭୁବନେଶ୍ବର: ୭୦ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ  ଆତ୍ମନିର୍ଭର ସହିତ ସଶକ୍ତ କରିବାକୁ ରାଜ୍ୟ ସରକାର ପୁଣି ବଡ଼ ନିଷ୍ପତ୍ତି ନେଇଛନ୍ତି । ନିଜ ପସନ୍ଦର ୟୁନିଫର୍ମ କିଣିବା ପାଇଁ ମାଆମାନଙ୍କୁ ହଜାର ଟଙ୍କା ସହାୟତା ଦେବେ ରାଜ୍ୟ ସରକାର । ଏହାସହ ଗ୍ରାମାଞ୍ଚଳ,  ସହରାଞ୍ଚଳ, ବ୍ଲକ ମହାସଂଘର ପରିଚାଳନା କମିଟି ସଦସ୍ୟାମାନେ  ନିଜ ପସନ୍ଦର ବ୍ଲେଜର କିଣିବା ପାଇଁ ମଧ୍ୟ ସହାୟତା ଯୋଗାଇ ଦିଆଯିବ । ମହିଳା ସଶକ୍ତିକରଣ ଓ ବିକାଶ ପାଇଁ କ୍ୟାବିନେଟ  ନିଷ୍ପତ୍ତିକୁ ସବୁ ମହଲରେ ସ୍ବାଗତ କରାଯାଇଛି ।

ଏସଏଚଜିକୁ ଏସଏମଇରେ ପରିଣତ କରିଛି ମିଶନ ଶକ୍ତି। ମିଶନ ଶକ୍ତିର ମହିଳାଙ୍କ ପାଇଁ ରାଜ୍ୟ ସରକାର ଖୋଲିଦେଇଛନ୍ତି ଭଣ୍ଡାର । ମହିଳାମାନଙ୍କୁ ସଶକ୍ତ ଓ ଆତ୍ମନିର୍ଭର କରି ଗଢିତୋଳିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ । ରାଜ୍ୟର ୭୦ ଲକ୍ଷ ମିଶନ ଶକ୍ତି ମହିଳାମାନେ ନିଜ ପସନ୍ଦର ୟୁନିଫର୍ମ କିଣିବା ପାଇଁ  ହଜାରେ ଟଙ୍କା ଲେଖାଏଁ ସହାୟତା ଦେବେ ରାଜ୍ୟ ସରକାର । ଏହାସହ ୧.୫ ଲକ୍ଷ କାର୍ଯ୍ୟନିର୍ବାହୀ ସଦସ୍ୟାଙ୍କୁ ବ୍ଲେଜର ପାଇଁ  ୨୦୦୦ ହଜାର ଟଙ୍କା ସହାୟତା ଦିଆଯିବ । ସ୍ବଂୟ ସହାୟତା ଗୋଷ୍ଠୀ ଓ ମହାସଂଘର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା ହେବ ଏହି ଟଙ୍କା । ଏଥିଲାଗି  ୨୦୨୩-୨୪ ଆର୍ଥିକ ବର୍ଷରେ ୭୩୦କୋଟି ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର । ଯାହାକୁ ଶୁକ୍ରବାର କ୍ୟାବିନେଟର ମଞ୍ଜୁର ମିଳିଛି । ଯାହାକୁ ନେଇ ଉତ୍ସାହିତ ମିଶନ ଶକ୍ତି ମାଆ।

ମିଶନ ଶକ୍ତି ମହିଳାମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଆର୍ଥିକ ସହାୟତା ସେମାନଙ୍କୁ ଅଧିକ ଉତ୍ସାହିତ କରିଛି । ବିଶେଷକରି ୟୁନିଫର୍ମ ଓ ବ୍ଲେଜର ପାଇଁ ଆର୍ଥିକ ସହାୟତା ଦ୍ବାରା ମାଆ ମାନେ ବିଦେଶଗସ୍ତବେଳେ ସ୍ବତନ୍ତ୍ର ପରିଚୟ ପାଇପାରିବେ । ରାଜ୍ୟରେ 5T ଉପକ୍ରମ ଯୋଗୁଁ ମିଶନ ଶକ୍ତି ଦେଶରେ ମହିଳା ସଶକ୍ତିକରଣରେ ଏକ ଆଦର୍ଶ ମଡେଲ ହୋଇପାରିଛି । ମିଶନ ଶକ୍ତି ମହିଳାମାନେ ସଶକ୍ତ ହେବା ସହ ସାମାଜିକ ସୁରକ୍ଷା ବୃଦ୍ଧି ପାଇଥିବାରୁ ସଦସ୍ଯାମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ କ୍ୟାନିନେଟ ନିଷ୍ପତ୍ତିରେ ଖୁସି ମନାଇଛନ୍ତି ।