ମୋଦି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନେତାଙ୍କ ଗହଳି, ଓଡ଼ିଶାରୁ ବିଶ୍ୱେଶ୍ୱର ଟୁଡୁ ହୋଇ ପାରନ୍ତି ମନ୍ତ୍ରୀ

Modi Cabinet Expansion, Focus On Bishweswar Tudu Mayurbhanj

ନୂଆଦିଲ୍ଲୀ: ମୋଦି ସରକାର ଦ୍ୱିତୀୟ ପାଳିରେ ପ୍ରଥମ କ୍ୟାବିନେଟ୍ ସମ୍ପ୍ରସାରଣ ଆଜି ସନ୍ଧ୍ୟାରେ ହେବାକୁ ଯାଉଛି । ଏହାରି ଭିତରେ ଆଜି ସକାଳୁ ସକାଳୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏନଡିଏର ବରିଷ୍ଠ ନେତା ପହଞ୍ଚିଥିଲେ । ବରିଷ୍ଠ ନେତାଙ୍କ ମଧ୍ୟରେ ଅମିତ ଶାହ ଓ ସୀତାରମଣ ଓ ରବିଶଙ୍କର ଥିଲେ । ଅନ୍ୟପକ୍ଷରେ ସମ୍ଭାବ୍ୟ ମନ୍ତ୍ରୀ ଭାବେ ଯେଉଁମାନଙ୍କ ନାମ ଆଗକୁ ଆସୁଛି ସେମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଦେଖିବାକୁ ମିଳିଥିଲା । ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ଓ ନାରାୟଣ ରାଣେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ ।

Modi Cabinet Expansion, Focus On Bishweswar Tudu Mayurbhanj

ଓଡ଼ିଶାରୁ ଟୁଡୁଙ୍କ ନାମ
ଏଣେ ଓଡ଼ିଶାରୁ ମୋଦି ସରକାରଙ୍କ ଦ୍ୱିତୀୟ ସମ୍ପ୍ରସାରଣରେ କିଏ ସ୍ଥାନ ପାଇବେ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କ ନାମ ଆଗକୁ ଆସିଛି । ବିଶ୍ୱେଶ୍ୱର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି । ଆଦିବାସୀ ସମ୍ପ୍ରଦାୟରୁ ଆସୁଥିବା ଟୁଡୁଙ୍କୁ ଯଦି ମନ୍ତ୍ରୀ କରାଯାଏ ତେବେ ଉତ୍ତର ଓଡ଼ିଶାରୁ ମୋଦି କ୍ୟାବିନେଟରେ ଦୁଇ ଜଣ ମନ୍ତ୍ରୀ ରହିବେ । କିନ୍ତୁ ପ୍ରଶ୍ନ ହେଉଛି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱାସ ବଜାୟ ରଖିଛନ୍ତି କି ନାହିଁ ? ଷଡ଼ଙ୍ଗୀଙ୍କ ଉପରେ ମୋଦିଙ୍କ ବିଶ୍ୱାସ ଉପେର ହିଁ ତାଙ୍କ ରହିବା ନରହିବା ନିର୍ଭର କରୁଛି । ତେବେ ଟୁଡୁଙ୍କ ନାମ ସାମ୍ନାକୁ ଆସିବା ପରେ ଷଡ଼ଙ୍ଗୀଙ୍କ ପଦ ଯାଇପାରେ ବୋଲି ଆଶଙ୍କ କରାଯାଉଛି ।

ଏବେ ଅଛନ୍ତି ୫୩ ମନ୍ତ୍ରୀ, ଆଉ ୨୮ଙ୍କ ପାଇଁ ଅଛି ସ୍ଥାନ
ବର୍ତ୍ତମାନ କେନ୍ଦ୍ର କ୍ୟାବିନେଟରେ ୫୩ ଜଣ ମନ୍ତ୍ରୀ ରହିଛନ୍ତି । କେନ୍ଦ୍ର କ୍ୟାବିନେଟରେ ମୋଟ ୮୧ ଜଣ ମନ୍ତ୍ରୀ ସ୍ଥାନ ପାଇ ପାରିବେ । ତେଣୁ ଏହି ହିସାବରେ ଆହୁରି ୨୮ ଜଣଙ୍କୁ ପ୍ରଧାନମନ୍ତ୍ରୀ ମୋଦି ନିଜ ସହଯୋଗୀ ଭାବେ ନେଇ ପାରିବେ ।

ଥଇଥାନ, ପୁରସ୍କାର
ମୋଦି କ୍ୟାବିନେଟର ଦ୍ୱିତୀୟ ସମ୍ପ୍ରସାରଣରେ କିଛି ନେତାଙ୍କୁ ଥଇଥାନ ସହିତ କିଛିଙ୍କୁ ସେମାନଙ୍କ କାମ ପାଇଁ ପୁରସ୍କୃତ କରାଯିବ । କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ପ୍ରମୋସନର ସମ୍ଭାବନା ରହିଛି । ସେହିଭଳି କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ତାଙ୍କ କାମ ପାଇଁ ପୁରସ୍କାର ସ୍ୱରୂପ ମନ୍ତ୍ରୀ ପଦ ମିଳିବା ପ୍ରାୟତଃ ପକା । ଅନ୍ୟପକ୍ଷରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କୁ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ଦେଇ ଆସାମ ରାଜନୀତିରୁ ତାଙ୍କୁ ଦୂରେଇ ରଖିବାକୁ ବିଜେପି ହାଇକମାଣ୍ଡ ଉଦ୍ୟମ କରି ପାରନ୍ତି । ସୂଚନାଯୋଗ୍ୟ ଯେ, ସର୍ବାନନ୍ଦଙ୍କ ସ୍ଥାନରେ ବିଜେପି କଂଗ୍ରସରୁ ଆସିଥିବା ହିମନ୍ତ ବିଶ୍ୱଶର୍ମାଙ୍କୁ ଆସାମ ମୁଖ୍ୟମନ୍ତ୍ରୀ କରିଥିଲା । ସେହିଭଳି ଲୋକ ଜନଶକ୍ତି ପାର୍ଟିର ପାରଶ ପାଶ୍ୱାନ ମଧ୍ୟ ମନ୍ତ୍ରୀ ହୋଇପାରନ୍ତି । ଗତକାଲି (ମଙ୍ଗଳବାର) ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଫିସରୁ ଫୋନ୍ ଯାଇଥିବା ଶୁଣିବାକୁ ମିଳୁଛି ।

Leave a Reply