ସମ୍ଭାବ୍ୟଙ୍କ ପାଖକୁ ଗଲାଣି ଫୋନ୍ କଲ୍, ଏହି ତାଲିକାରେ ଅଛି ଆଗାମୀ ମନ୍ତ୍ରୀଙ୍କ ନାମ

Modi Cabinet Expansion Probable Candidates For Union Ministers

ନୂଆଦିଲ୍ଲୀ: କେନ୍ଦ୍ରୀୟ କ୍ୟାବିନେଟରେ ଅଦଳବଦଳ ସମୀକରଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତାଲିକା ପ୍ରାୟ ପ୍ରସ୍ତୁତ ହୋଇ ସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଯାଏଁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ୍ କରି ଦେଇଛନ୍ତି । ସୋମବାର ପିଏମ୍ ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ସଂଗଠନର ମହାମନ୍ତ୍ରୀ ବିଏଲ୍ ସନ୍ତୋଷଙ୍କ ସହ ବୈଠକ କରିଥିଲେ । ରିପୋର୍ଟ ଅନୁସାରେ, ଏହି ଆଲୋଚନାରେ କ୍ୟାବିନେଟ୍ ସମ୍ପ୍ରସାରଣକୁ ଚୂଡ଼ାନ୍ତ ରୂପ ଦିଆଯାଇଛି ।

ନାରାୟଣ ରାଣେଙ୍କୁ ଦିଲ୍ଲୀ ଡକା ଯାଇଛି । ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କୁ ଦିଲ୍ଲୀ ଡକରା ହୋଇଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଆଜି ହିମାଚଳ ପ୍ରଦେଶରୁ ଦିଲ୍ଲୀ ଫେରିଯିବେ । ଏହାପରେ ସମ୍ଭାବ୍ୟ ନେତାଙ୍କୁ ନଡ୍ଡାଙ୍କ ଅଫିସକୁ ଡକାଯିବ ।

ଏବେ ମନ୍ତ୍ରୀ ପରିଷଦରେ ୫୩ ସଦସ୍ୟ ଅଛନ୍ତି । ନିୟମାନୁସାରେ କେନ୍ଦ୍ର କ୍ୟାବିନେଟରେ ସର୍ବାଧିକ ୮୧ ଜଣ ମନ୍ତ୍ରୀ ରହିପାରିବେ । ମନ୍ତ୍ରୀ ନେଇ ଅନେକଙ୍କ ନାଁ ଚର୍ଚ୍ଚାରେ ରହିଛି । ବିଶେଷକରି ଆସନ୍ତା ବର୍ଷ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଗୁରୁତ୍ୱ ଦିଆଯାଉଛି ।

ଜୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନେୱାଲ ଓ ବରୁଣ ଗାନ୍ଧୀଙ୍କ ନାଁ ମନ୍ତ୍ରୀ ହେବା ନେଇ ଆରମ୍ଭରୁ ଚର୍ଚ୍ଚାରେ ରହି ଆସିଛି । ମଧ୍ୟପ୍ରଦେଶରେ କମଲନାଥ ସରକାରଙ୍କୁ ପଦଚ୍ୟୁତ କରି ଉପନିର୍ବାଚନରେ ଜିତାଇବାରେ ସିନ୍ଧିଆଙ୍କ ଭୂମିକା ରହିଛି । ସିନ୍ଧିଆ ଆଜି ଦିଲ୍ଲୀ ଆସୁଛନ୍ତି । ସୋନେୱାଲ, ହେମନ୍ତ ବିଶ୍ୱ ଶର୍ମାଙ୍କ ପାଇଁ ଆସାମର ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେଇଥିଲେ । ଏହାପରେ ଚର୍ଚ୍ଚା ହେଉଥିଲା ସେ ଦିଲ୍ଲୀ ଯିବେ। ତେଣୁ ତାଙ୍କୁ ବି ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ।

ଗତବର୍ଷ ଲୋକ ଜନଶକ୍ତି ପାର୍ଟିର ପ୍ରତିଷ୍ଠାତା ରାମବିଳାସ ପାଶୱାନଙ୍କ ଦେହାନ୍ତ ହୋଇଥିଲା । ଏହାପରେ ଦଳ ଦୁଇ ଭାଗ ହୋଇଯାଇଛି । ଗୋଟିଏ ପଟେ ପାଶୱାନଙ୍କ ଭାଇ ପାରସ୍ ଅନ୍ୟପଟେ ଚିରାଗ ପାସୱାନ । ଆଶା କରାଯାଉଛି ପଶୁପତି ପାରସଙ୍କୁ ମନ୍ତ୍ରୀ ପରିଷଦରେ ସ୍ଥାନ ମିଳିବ । ବିହାରରୁ ଆଉ ଜଣେ ନେତାଙ୍କ ନାମ ମଧ୍ୟ ମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ରହିଛି । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ୍ ମୋଦିଙ୍କ ନାଁ ଚର୍ଚ୍ଚାରେ ରହିଛି । ଏହାଛଡ଼ା ଭୁପେନ୍ଦ୍ର ଯାଦବଙ୍କ ନାଁକୁ ନେଇ ଚର୍ଚ୍ଚା ମଧ୍ୟ ହେଉଛି ।

ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନଙ୍କ ସରକାରରେ ରେଳମନ୍ତ୍ରୀ ଥିବା ଦିନେଶ ତ୍ରିବେଦୀଙ୍କୁ ମୋଦି କ୍ୟାବିନେଟରେ ସାମିଲ୍ କରିପାରନ୍ତି । ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଟିଏମସିକୁ ବାଏ ବାଏ କହି ବିଜେପିରେ ମିଶିଥିଲେ ଦିନେଶ । ସେହିଭଳି ଅଟଳ ବିହାର ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିବା ପୂର୍ବତନ ଆଇଏସ୍ ଅଶ୍ୱିନୀ ବୈଷ୍ଣବଙ୍କୁ ମନ୍ତ୍ରୀ ପଦ ମିଳିପାରେ ।

Leave a Reply