ଯୁଦ୍ଧ ଭିତରେ ମୋଦି-ପୁଟିନଙ୍କ ପ୍ରଥମ ସାକ୍ଷାତ, ଏବେ ଯୁଦ୍ଧର ସମୟ ନୁହେଁ କହିଲେ PM

1 min read

ଉଜବେକିସ୍ତାନ: ୟୁକ୍ରେନ ଓ ଋଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିଲାବେଳେ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ।ସମରକନ୍ଦରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଋଷ- ୟୁକ୍ରେନ ଯୁଦ୍ଧ, ଦ୍ୱିପାକ୍ଷିକ ସହଯୋଗ, ଆଞ୍ଚଳିକ ଓ ବିଶ୍ୱ ସମସ୍ୟା ପ୍ରସଙ୍ଗରେ ହୋଇଛି କଥାବାର୍ତ୍ତା ।

ସେପଟେ ୟୁକ୍ରେନ ଭୋଗୁଥିବା ଯନ୍ତ୍ରଣା ଏବଂ ବିଶ୍ୱ ସମୂହ ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ମୋଦି ପୁଟିନଙ୍କ ସହ ଆଲୋଚନା କରିଛନ୍ତି  । ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ ବୋଲି ପୁଟିନଙ୍କୁ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ମୋଦି । ସେପଟେ ଯୁଦ୍ଧ ପ୍ରସଙ୍ଗରେ ଭାରତକୁ ଅପଡେଟ ଦେବାକୁ ମୋଦିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ପୁଟିନ ।

ଗତ ଫେବ୍ରୁଆରୀରେ ୟୁକ୍ରେନ ଉପରେ ଋଷର ଆକ୍ରମଣ ହୋଇଥିଲା  । ମୋଦି ଯୁଦ୍ଧକୁ ନେଇ ପୂର୍ବରୁ ଥରେ ପୁଟିନଙ୍କ ସହ ଫୋନ ମାଧ୍ୟମରେ ଆଲୋଚନା କରିଥିଲେ  । ଏହା ହେଉଛି ମୋଦି ଓ ପୁଟିନଙ୍କ ପ୍ରଥମ ସାକ୍ଷାତ ଆଲୋଚନା । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ବର୍ତ୍ତମାନ ସୁଦ୍ଧା ନିନ୍ଦା କରିନାହିଁ ଭାରତ । ଆଲୋଚନା ଜରିଆରେ ଯୁଦ୍ଧ ସଙ୍କଟର ସମାଧାନ ଦିଗରେ ଭାରତ ପ୍ରୟାସ ଜାରି ରଖିଛି  ।