ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧିଙ୍କୁ ରାଞ୍ଚି କୋର୍ଟଙ୍କ ସମନ

1 min read

ରାଞ୍ଚି: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମୁସକିଲ କମ୍ ହେବାର ନାଁ ନେଉ ନାହିଁ । ମୋଦି ସରନେମ ମାମଲାରେ ଏବେ ରାଞ୍ଚି କୋର୍ଟ ତାଙ୍କୁ ସମନ କରିଛନ୍ତି । ୪ ଜୁଲାଇରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ପକ୍ଷରୁ କଂଗ୍ରେସ ନେତାଙ୍କୁ ଜାରି ଏହା ଶେଷ ସମନ ଅଟେ । ଏପରି ସ୍ଥିତିରେ ଯଦି ସେ ଏଥର ମଧ୍ୟ ହାଜର ନହୁଅନ୍ତି ତେବେ ତାଙ୍କ ସମସ୍ୟା ଆହୁରି ବଢ଼ିପାରେ । ପ୍ରକାଶଥାଉକି, ଏହି ମାମଲାରେ ପ୍ରଦୀପ ମୋଦି ନାମକ ବ୍ୟକ୍ତି ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଥିଲେ, ଯାହା ଉପରେ ଏମପି-ଏମଏଲଏ କୋର୍ଟରେ ଶୁଣାଣି ହୋଇଥିଲା । କୋର୍ଟ ଏହି ମାମଲାରେ ରାହୁଲ ଗାନ୍ଧିଙ୍କୁ ବ୍ୟକ୍ତିଗତ ଭାବେ ହାଜର ନହେବା ପାଇଁ ଦିଆଯାଇଥିବା ଆବେଦନକୁ ପୂର୍ବରୁ ହିଁ ଖାରଜ କରିଦେଇଥିଲେ ।

ଏପରି ସ୍ଥିତିରେ ରାହୁଲ ଗାନ୍ଧିଙ୍କ ଓକିଲ କୋର୍ଟଙ୍କୁ ୧୫ ଦିନର ସମୟ ମାଗିଥିଲେ । ଯାହା ଉପରେ କୋର୍ଟ ରାହୁଲ ଗାନ୍ଧିଙ୍କୁ ଶେଷ ସମନ ଜାରି କରି ୪ ଜୁଲାଇରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ମଧ୍ୟ ରାହୁଲଙ୍କ ବିରୋଧରେ ଏହି ସମ୍ବନ୍ଧରେ ମାନହାନି ମାମଲା ରୁଜୁ କରିଥିଲେ । ଏହି ମାମଲାରେ ସୁରଟ କୋର୍ଟ କଂଗ୍ରେସ ନେତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ । ଯେଉଁ କାରଣରୁ ଜନପ୍ରତିନିଧି ଆଇନ ଅନୁସାରେ ସାଂସଦ ସଦସ୍ୟତା ରଦ୍ଦ ହୋଇଯାଇଥିଲା ।