ରାହୁଲ ଗାନ୍ଧୀଙ୍କୁ ଜେଲଦଣ୍ଡ ମାମଲା, ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୋଦି ସରନେମ୍ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ଜେଲଦଣ୍ଡ ମାମଲା । ଆଜି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଗତ ୧୮ ତାରିଖରେ ମାମଲାର ଶୁଣାଣି କରି ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଥିଲେ । ୧୦ ଦିନ ମଧ୍ୟରେ ଉତ୍ତର ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମୋଦି ସରନେମ୍ ମାମଲାରେ ରାହୁଲଙ୍କ ବିରୋଧରେ ଅଭିଯୋଗ ଦାଏର କରିଥିବା ବିଜେପି ନେତା ପୂର୍ଣ୍ଣେଶ ମୋଦିଙ୍କୁ କୋର୍ଟ ନୋଟିସ କରିଥିଲେ । ତେବେ ଶୁଣାଣି ପୂର୍ବରୁ ରାହୁଲ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଛନ୍ତି । ଦୋଷୀ ସାବ୍ୟସ୍ତ ଉପରେ ରୋକ ଲଗାଇବାକୁ ରାହୁଲ ଅପିଲ କରିଛନ୍ତି । ରାହୁଲ କହିଛନ୍ତି, ଜେଲଦଣ୍ଡ କାରଣରୁ ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ ହୋଇଛି । ମାମଲା କରିଥିବା ପୂର୍ଣ୍ଣେଶ ମୋଦି ନିଜେ ମୂଳ ମୋଦି ସଂପ୍ରଦାୟର ନୁହଁନ୍ତି । ପୂର୍ବରୁ ଏପରି ମାମଲାରେ କେହି ଦଣ୍ଡିତ ହୋଇନାହାନ୍ତି । କ୍ଷମା ମାଗିବାକୁ ମନା କରିବାକୁ ଗର୍ବୀ ବୋଲି କୁହାଯାଇପାରିବ ନାହିଁ ।

୨୦୧୯ରେ କର୍ଣ୍ଣାଟକ କୋଲରରେ ମୋଦି ସାଙ୍ଗିଆକୁ ନେଇ ରାହୁଲଙ୍କ ବୟାନ ପରେ ଆଇପିସିର ଧାରା ୪୯୯, ୫୦୦ ଓ ୫୦୪ ଅନୁସାରେ ମାମଲା ରୁଜୁ ହୋଇଥିଲା । ଗତ ମାର୍ଚ୍ଚ ୨୩ ତାରିଖରେ ମାନହାନି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲଦଣ୍ଡାଦେଶ ଦେଇଥିଲେ ସୁରତ ସିଜେଏମ କୋର୍ଟ । ଗୁଜରାଟ ହାଇକୋର୍ଟ ମଧ୍ୟ ତଳକୋର୍ଟଙ୍କ ରାୟ କାଏମ ରଖିଥିଲେ ।