୫ ୱିକେଟ ନେବା ପରେ କାହା ପାଇଁ ଇସାରା କରିଥିଲେ ମହମ୍ମଦ ସାମି? ଗିଲ୍‌ କଲେ ଖୁଲାସା

ନୂଆଦିଲ୍ଲୀ: ୨୦୨୩ ବିଶ୍ବକପରେ ଗୋଟିଏ ପରେ ଗୋଟିଏ ଜଲୱା ଦେଖାଇ ଚାଲିଛନ୍ତି ଭାରତୀୟ ବୋଲର ମହମ୍ମଦ ସାମି  । ଶ୍ରୀଲଙ୍କା ବିପକ୍ଷରେ ୧୮ ରନ ଦେଇ ୫ ୱିକେଟ ହାତେଇଛନ୍ତି ସାମି  । ଏହି ମ୍ୟାଚରେ ୫ଟି ୱିକେଟ ନେଇ ଭାରତ ପାଇଁ ବିଶ୍ବକପରେ ସର୍ବାଧିକ ୱିକେଟ ନେଇଥିବା ରେକର୍ଡ ନିଜ ନାଁରେ କରିଛନ୍ତି  । ଶ୍ରୀଲଙ୍କାର ୫ଟି ୱିକେଟ ନେବା ପରେ ସାମି ଗ୍ରାଉଣ୍ଡରେ କିଛି ଇସାରା କରିଥିଲେ  । ଯାହା ଦେଖି ଅଡୁଆରେ ପଡି ଯାଇଛନ୍ତି ଫ୍ୟାନ୍ସ ଆଉ କମେଣ୍ଟେଟର  ।

କିଛି ପ୍ରଶଂସକ ଭାବିଥିଲେ ଯେ ବୋଧହୁଏ ସାମି ହରଭଜନ ସିଂଙ୍କ ରେକର୍ଡ ଭାଙ୍ଗି ଏପରି କରିଥିଲେ  । କିନ୍ତୁ ମ୍ୟାଚ ପରେ ସାମିଙ୍କ ଇସାରାର ଖୁଲାସା କରିଛନ୍ତି ଶୁଭମନ ଗିଲ୍‌  ।

ଗିଲ୍‌ କହିଛନ୍ତି ସାମିଙ୍କ ଇସାରା ଟିମ ଇଣ୍ଡିଆର ବୋଲିଂ କୋଚ ପାରସ ମହାମ୍ବ୍ରେଙ୍କ ପାଇଁ ଥିଲା  । କିନ୍ତୁ କାହିଁକି ସେ ଏଭଳି ଇସାରା ଦେଇଥିଲେ ସେ ନେଇ ଗିଲ୍‌ କିଛି କହି ନାହାନ୍ତି  । ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ଚାଲିଥିବା ବେଳେ ସାମି ସର୍ବାଧିକ ୱିକେଟ ନେବା ପରେ ବଲ୍‌କୁ ନିଜ ମୁଣ୍ଡ ଉପରେ ଘୁରାଇ ଡ୍ରେସିଂ ରୁମ୍‌ ଆଡକୁ ଇସାରା କରିଥିଲେ  । ଏହା ଦେଖି ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ସାମି ଏଭଳି ଇସାରା କାହା ପାଇଁ କରିଥିଲେ ?

ଭାରତ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୩୫୭ ରନ ସଂଗ୍ରହ କରିଥିଲା  । ଏହାର ଜବାବରେ ଶ୍ରୀଲଙ୍କା ଟିମ ୨୦ ଓଭର ବି ନ ଖେଲିପାରି ମାତ୍ର ୫୫ ରନ୍‌ରେ ଅଲ ଆଉଟ ହୋଇଯାଇଥିଲା  ।