ଝିଅ ବାହାଘର ପାଇଁ ଟଙ୍କା ରଖିଥିଲେ, ନେଇଗଲା ଚୋର

କୋରାପୁଟ: ଝିଅ ବାହାଘର ପାଇଁ ସଞ୍ଚିତ ସମ୍ପତ୍ତି ନେଇଗଲା ଚୋର । ବିବାହର ୨୦ ଦିନ ପୂର୍ବରୁ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଚୋରି ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । କୋରାପୁଟ ଜିଲ୍ଲା ଜୟପୁର ସହରର ଗଙ୍ଗାନଗର ଠାରେ ଏହି ଘଟଣା ଘଟିଛି । ଦୁଇ ଝିଅଙ୍କ ବାହାଘର ପାଇଁ ରଖାଯାଇଥିବା ୩ ଲକ୍ଷ ନଗଦ ଟଙ୍କା ଏବଂ ୯ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଲୁଟେରା ଲୁଟି ନେଇଛନ୍ତି ।

ଏନେଇ ଥାନାରେ ଅଭିଯୋଗ କରିଛନ୍ତି କରୁଣା ସିଂ । ସେ ଗତକାଲି ଭୋର ୫ଟାରେ ଉଠିବା ସହିତ ଗାଧୁଆଗୃହକୁ ଗାଧୋଇବା ପାଇଁ ଯାଇଥିଲେ । ଏହି ସମୟରେ ଚୋର ଘରେ ପସି ଆଲମାରିର ଲକରରୁ ସମସ୍ତ ଟଙ୍କା ସୁନା ଲୁଟ କରିଛି । ଲୁଟ କରି ଚମ୍ପଟ ମାରୁଥିବା ବେଳେ କୁକୁର ଲୁଟେରାକୁ ଗୋଡାଉଥିବା ଦୃଶ୍ୟ ସିସିଟିଭିରେ କହଏ ହୋଇଛି । ଏନେଇ ଟାଉନଥାନାରେ କରୁଣାଙ୍କ ଲିଖିତ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ଘଟଣାର ସ୍ଥଳରେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁରଙ୍କ ସହାୟତାରେ ଛାନବିନ୍ ଆରମ୍ଭ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ମେ ୫ ତାରିଖରେ କରୁଣାଙ୍କ ଗୋଟିଏ ଝିଅର ବାହାଘର ହୋଇଥାନ୍ତା । ଏନେଇ ଘରେ ଆଣି ନଗଦ ଟଙ୍କା ଓ ସୁନା ଅଳଙ୍କାର ରଖିଥିଲେ କରୁଣା ।