ବିଶ୍ବରେ ପୁଣି ଚିନ୍ତା ବଢ଼ାଇଲା ମଙ୍କିପକ୍ସ, ପ୍ରାୟ ୩୦ଟି ଦେଶରେ ମେଲାଇଲା କାୟା

ନୂଆଦିଲ୍ଲୀ: ବିଶ୍ବରେ ପୁଣି ଚିନ୍ତା ବଢ଼ାଇଲା ମଙ୍କିପକ୍ସ । ପ୍ରାୟ ୩୦ଟି ଦେଶରେ ଭାଇରସ କାୟା ମେଲାଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ହୋଇଛି ୭୮୦ । ସେପଟେ ମଙ୍କିପକ୍ସ ପ୍ରତି ସାବଧାନ ରହିବା ଲାଗି ପରାମର୍ଶ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଦିନକୁ ଦିନ ଅଧିକରୁ ଅଧିକ ଦେଶରେ ମଙ୍କିପକ୍ସ ଭୂତାଣୁ ସଂକ୍ରମଣ ପରିବ୍ୟାପ୍ତ ହେଉଥିବାରୁ ବିଦେଶ ଫେରନ୍ତାଙ୍କ ଉପରେ ଦୃଷ୍ଟି ଦେବାକୁ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି । ତେବେ ମଙ୍କିପକ୍ସ ଏକ ଯୌନଗତ ସଂକ୍ରମିତ ରୋଗ ନୁହେଁ ବୋଲି ସୂଚନା ଦିଆଯାଇଛି । ଏହି ଭାଇରସ ଚର୍ମରୁ ଚର୍ମ ଓ ଅନ୍ୟାନ୍ୟ ମାଧ୍ୟମ ଜରିଆରେ ସଂକ୍ରମିତ ହୋଇଥାଏ ବୋଲି କୁହାଯାଇଛି । ଏହା ସହ ଶରୀରର ବିଭିନ୍ନ ପଦାର୍ଥ, ସଂକ୍ରମିତ ଶଯ୍ୟା, ଲୁଗାପଟା ଜରିଆରେ ସଂକ୍ରମିତ ହୋଇଥାଏ ବୋଲି କୁହାଯାଇଛି ।