ମୌସୁମୀ ଛୁଇଁଲେ ଚେତା ପଶୁଛି; ଡେଡଲାଇନରେ ଅଟକିଛି ଡ୍ରେନେଜ ସମସ୍ୟା
1 min read
ଭୁବନେଶ୍ବର: ମୌସୁମୀ ଛୁଇଁଲେ ଚେତା ପଶୁଛି । ଡେଡଲାଇନରେ ଅଟକିଛି ଡ୍ରେନେଜ ସମସ୍ୟା । ତାଳିପକା କାମରେ ବିଏମସି। ଯୁଆଡେ ଦେଖିବ ଡ୍ରେନ ଜାମ୍ ଓ ମୁକୁଳା ଡ୍ରେନ । ମୌସୁମୀ ରାଜଧାନୀ ଭୁବନେଶ୍ବରର କବାଟ ଠକ ଠକ କରିବା ବେଳେ ଡ୍ରେନେଜ୍ ସମସ୍ୟାର କରାଯାଉଛି ସମୀକ୍ଷା । ଗତକାଲି ମୁଖ୍ୟମନ୍ତ୍ରୀ, ଆଜି ନଗର ଉନ୍ନୟନ ମନ୍ତ୍ରୀ ସମୀକ୍ଷା କରିଛନ୍ତି । ଚଳିତ ବର୍ଷ ମୌସୁମୀ ଶୀଘ୍ର ଓଡ଼ିଶା ଛୁଇଁବ। ଅଧିକ ବର୍ଷା ହେବାର ଆକଳନ ହୋଇଛି। ଜୁନ ୨୦ ସୁଦ୍ଧା କଟକ ଓ ଭୁବନେଶ୍ୱରରେ ଡ୍ରେନେଜ୍ କାମ ସାରିବାକୁ ଡେଡଲାଇନ ଦେଇଛନ୍ତି ମନ୍ତ୍ରୀ। କଟକ ଓ ଭୁବନେଶ୍ବରର ସବୁ ନାଳ ଓ ଡ୍ରେନେଜ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠି ଡ୍ରେନେଜ୍ କଭର ନାହିଁ, କଭର କରାଯିବ। ତେବେ ଡ୍ରେନେଜ ନିର୍ମାଣ କାର୍ଯ୍ୟ କେତେ ଅଗ୍ରଗତି ହୋଇଛି, ତାହା ଜାଣିବାକୁ ଜୁନ ୧ରେ ନିଜେ ମଧ୍ୟ ଫିଲ୍ଡ ଭିଜିଟ କରିବେ ମନ୍ତ୍ରୀ। ସେହିପରି ସମ୍ ହସପିଟାଲ ପାଖରେ ସବୁବେଳେ ଦେଖାଯାଉଥିବା ୱାଟର ଲଗିଙ୍ଗ ସମସ୍ୟାର ସମାଧାନ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ।
ସେପଟେ ବିଜେପି ସରକାରକୁ ବର୍ଷେ ପୂରିବ। ପୂର୍ବରୁ ଜଳବନ୍ଦୀ ସମସ୍ୟାକୁ ନଇ ତୁମ୍ଭିତୋଫାନ କରୁଥିଲା ବିଜେପି । ହେଲେ ଏବେ ସରକାରଙ୍କୁ ଇସ୍କନ ରାସ୍ତାରେ ପାଣି ଜମିବା ସମସ୍ୟା ମନେପଡୁଛି । NHAIର ରାସ୍ତା ଥିବାରୁ ବିଳମ୍ୱ ହେଉଛି ସ୍ଥାୟୀ ସମାଧାନ । ପ୍ରଥମେ ଇସ୍କନ ସର୍ଭିସ୍ ଡ୍ରେନ କାମ ତୁରନ୍ତ ସାରିବାକୁ କୁହାଯାଇଛି । DPR ପ୍ରସ୍ତୁତ ହୋଇଥିବା ବେଳେ ଦିନେ ଦୁଇ ଦିନ ମଧ୍ୟରେ ଏନେଇ ଟେଣ୍ଡର କରାଯାଇ କାମ ଆରମ୍ଭ କରାଯିବ । ସେପଟେ ଆଜି ଥିଲା ଭୁବନେଶ୍ବର ମହାନଗର ନିଗମର ୩୧ତମ ସାଧାରଣ ପରିଷଦ ବୈଠକ। ଆରମ୍ଭରୁ ହିଁ ଡ୍ରେନ, ସଫେଇ, ରାସ୍ତାରେ ନାଳ ପାଣି ଭାସିବା ଓ ମୁକୁଳା ଡ୍ରେନ ଉପରେ ଆଲୋଚନା ହୋଇଥିଲା। ଭୁବନେଶ୍ବରରେ ୭୭ କିଲୋମିଟର ମୁଖ୍ୟ ଡ୍ରେନ୍ ଓ ୩୬୦ କିଲୋମିଟର ପୂର୍ତ୍ତ ବିଭାଗ ଡ୍ରେନ୍ କିପରି ସଫା ହେବ ତାକୁ ନେଇ ପ୍ରଶ୍ନ ଉଠିଛି । ବର୍ଷା ହେଲେ ସହର ବୁଡ଼ିବା ଥୟ। ତଳିଆ ଅଞ୍ଚଳରେ ପାଣି ଜମିବା ପରିସ୍ଥିତି ଉପୁଜିବ । ଗତ ବର୍ଷ ମୁକୁଳା ଡ୍ରେନରେ ପଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଥିଲା । ଏବେବି ୨୨ କିମି ମୁକୁଳା ଡ୍ରେନର ସ୍ଲାବ ପଡ଼ିଲା ନାହିଁ ।