ରାଜ୍ୟରେ ସକ୍ରିୟ ହେଲା ମୌସୁମୀ: ୫ ଦିନ ଯାଏଁ ଅବିଶ୍ରାନ୍ତ ବର୍ଷା

ଭୁବନେଶ୍ୱର: ପୁଣି ଆସୁଛି ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୧୯ ତାରିଖରେ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଲାଗି ରହିବ । ଏହାସହ ଟ୍ରପଲାଇନ୍‌ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଡଘଡି ସହ ବର୍ଷା ହେବ । ଏଥିପାଇଁ ଉତ୍ତର ଓ ଉପକୂଳ ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଚଳିତ ସିଜିନ୍‌ରେ ମାତ୍ର ୫ ଟି ଜିଲ୍ଲାକୁ ଛାଡ଼ି ବାକି ଜିଲ୍ଲା ଗୁଡିକରେ ସ୍ୱାଭାବିକ ଠାରୁ ଅଧିକ ବଷା ରେକର୍ଡ କରିଛି ପାଣିପାଗ କେନ୍ଦ୍ର ।

ପୂରା ଓଡ଼ିଶାରେ ଏବେ ବଷାର ରାଜୁତି । ଉପାନ୍ତରୁ ଉପକୂଳ ସବୁଠି ଆକାଶରେ କଳାହାଣ୍ଡିଆ ମେଘମାଳା । କେଉଁଠି ଢାଳୁଛି ତ କେଉଁଠି ମାଡିମାଡି ରହୁଛି । ଆଉ କେଉଁଠି ତୁହାକୁ ତୁହା ବର୍ଷା ।

ରାଜସ୍ଥାନ – ପଶ୍ଚିମବଙ୍ଗ ମୃଧ୍ୟରେ ଥିବା ଟ୍ରପ୍‌ ଲାଇନ୍‌ ଏବଂ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଲାଗି ରହିଛି । ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଲଘୁଚାପ ପ୍ରଭାବରେ ନବରଙ୍ଗପୁର, କୋରାପୁଟ, ଜଗତସିଂହପୁର, ପୁରୀ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ବରଗଡ଼ ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ । ଏଥିପାଇଁ ଏହି ଜିଲ୍ଲାର ଚାଷୀମାନଙ୍କୁ ସତର୍କ ସୂଚନା ଦିଆଯାଇଛି । ରାଜଧାନୀ ଭୁବନେଶ୍ୱରେ ମଧ୍ୟ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବ ବୋଲି କୁହାଯାଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟତା ଏବଂ ପୁଣି ବଙ୍ଗୋପସାଗରରେ ଆସୁଥିବା ଲଘୁଚାପକୁ ଦୃଷ୍ଟିରେ ରଖି ୫ ଦିନ ଯାଏଁ ଅଧା ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଚଳିତ ବର୍ଷ ଜୁନ୍‌ ୧୫ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ଗଞ୍ଜାମ, ଗଜପତି, ଝାରସୁଗୁଡା, ଢେଙ୍କାନାଳ ଏବଂ ଭଦ୍ରକରେ ଆବଶ୍ୟକତା ଠାରୁ ଢେର ଅଧିକ ବର୍ଷା ହୋଇଛି । ତେବେ ବଲାଙ୍ଗିର, ସୋନପୁର, ବୌଦ୍ଧ, ନୂଆପଡା, ଯାଜପୁର ଓ କେନ୍ଦ୍ରାପଡାରେ ସ୍ୱାଭାବିକ ଠାରୁ କମ୍‌ ପରିମାଣର ବର୍ଷା ହୋଇଛି ।

Leave a Reply