ଭୁବନେଶ୍ବର: ଚଳିତ ବର୍ଷ ସଅଳ ଛୁଇଁବ ମୌସୁମୀ । ମେ ୨୭ ସୁଦ୍ଧା କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।  ଏଥର ଆଗୁଆ ମୌସୁମୀ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ଜୁନ ୧ରେ କେରଳ ଛୁଇଁଥାଏ । ତେବେ ଚଳିତ ଥର ମୌସୁମୀ ଅଗ୍ରସର ହେବା ପାଇଁ ସ୍ଥିତି ଅନୁକୂଳ ରହିଥିବାରୁ ଧାର୍ଯ୍ୟ ସମୟର ୪ଦିନ ପୂର୍ବରୁ ପହଞ୍ଚିବା ସମ୍ଭାବନା ରହିଛି ।

୫ଟି ପାଣିପାଗ ମଡେଲର ତର୍ଜମା କରି ଏହି ପୂର୍ବାନୁମାନ କରିଛି ଆଇଏମଡି । ସେପଟେ ଆଜି ରାଜ୍ୟରେ ୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି । ୪୨.୭ ଡିଗ୍ରୀ ସହ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ରହିଛି । ସେହିପରି ହୀରାକୁଦ ୪୧.୭, ଝାରସୁଗୁଡ଼ା ୪୧.୬, ଭୁବନେଶ୍ବର ୪୦.୨, ବାଲେଶ୍ବର ୩୯.୭, ରାଉରକେଲା ୩୯.୬, ଚାନ୍ଦବାଲିରେ ୩୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।