ଝାଡ଼ାବାନ୍ତିରେ ୫ଶହରୁ ଅଧିକ ଅସୁସ୍ଥ, ୨ ଜଣଙ୍କର ଗଲାଣି ଜୀବନ

ଯାଜପୁର: ଯାଜପୁର ଜିଲ୍ଲାରେ ଚିନ୍ତା ବଢାଇଛି ଝାଡାବାନ୍ତି । ଦୁଇ ଦିନ ହେଲା ଅଣାୟତ୍ତ ସ୍ଥିତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ୫ଶହରୁ ଅଧିକ ଅସୁସ୍ଥ ହୋଇପଡିଥିବାବେଳେ ୨ ଜଣଙ୍କର ମୃତ୍ଯୁ ହୋଇଯାଇଛି । ଆନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ସୁଦର୍ଶନ ପାତ୍ର ଓ ବ୍ୟାସନଗର ପୌରାଞ୍ଚଳର ତୋଳାରାମ ଶର୍ମା ଝାଡାବାନ୍ତିରେ ମୃତ୍ୟୁ ବରଣ କରିଛନ୍ତି । ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳ ଓ ଯାଜପୁର ପୌରାଞ୍ଚଳ ସମେତ ଧର୍ମଶାଳା, ରସୁଲପୁର, କୋରାଇ ଓ ଦାନଗଦି ଆଦି ୫ ଟି ବ୍ଲକରେ ଝାଡାବାନ୍ତି ରୋଗରେ ୫୦୦ରୁ ଉର୍ଦ୍ଧ୍ବ ରୋଗୀ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତର କାରଣ ଏବେ ଯାଏ ଅସ୍ପଷ୍ଟ ରହିଥିବା ବେଳେ ଫୁଡ୍ ପୟୋଜନ କାରଣରୁ ଏପରି ହୋଇଥିବା ଡାକ୍ତର ସନ୍ଦେହ କରୁଛନ୍ତି । ଇତି ମଧ୍ୟରେ ଗତକାଲି ବ୍ୟାସନଗର ଏବଂ ଦାନଗଦି ଅଞ୍ଚଳର ୨ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି ।
୨ ଦିନ ଭିତରେ ଯାଜପୁର ରୋଡ ମେଡିକାଲରେ ୧୮୬ ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୬୫ଜଣ ଚିକିତ୍ସାଧୀନ ଥିବା ବେଳେ ୧୧ ଜଣ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି । ୧୧୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଧର୍ମଶାଳା ମେଡିକାଲରେ ୧୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ଜିଲ୍ଲା ମେଡିକାଲରେ ମଧ୍ୟ ଶତାଧିକ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ସେହିପରି ଆଜି ସକାଳ ସୁଦ୍ଧା ଦାନଗଦି ମେଡିକାଲରେ ୫୫ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏଠାରେ ବର୍ତମାନ ୧୧ଜଣ ଚିକିତ୍ସାଧୀନ ଥିବାବେଳେ ୧୪ଜଣ କଟକ ଓ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ୩୦ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯଯାତୀ କେଶରୀ ମେଡିକାଲ କଲେଜ ଓ କଟକ ବଡ ଡ଼ାକ୍ତରଖାନାରୁ ପୃଥକ୍ ପୃଥକ୍ ଟିମ୍ ବିଭିନ୍ନ ମେଡିକାଲକୁ ଗସ୍ତ କରି ଚିକିତ୍ସା ପ୍ରକ୍ରିୟାର ଯାଞ୍ଚ କରୁଥିବା ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।
ସେପଟେ ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଯାଜପୁର ରୋଡ ମେଡିକାଲରେ ପହଞ୍ଚି ସ୍ଥିତି ସମ୍ପର୍କରେ ଅବଗତ ହେବା ସହ ଆକ୍ରାନ୍ତର ପ୍ରକୃତ କାରଣ ନିରୀକ୍ଷଣ କରିବା ଓ ସଠିକ୍ ଭାବେ ଏହାର ନିରାକରଣ ପାଇଁ ପଦକ୍ଷେପ ନେବାକୁ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି। ବିଭିନ୍ନ ମେଡିକାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପର୍ଯ୍ୟାପ୍ତ ବେଡ ବ୍ୟବସ୍ଥା ଓ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ସେପଟେ ସ୍ଥିତିର ସମୀକ୍ଷା ଲାଗି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ଯାଜପୁର ଗସ୍ତ କରିଛନ୍ତି ।